ବାଲେଶ୍ୱର : ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ସିନ୍ଦୂରର ପ୍ରତିଶୋଧ ନେଲେ ମୋଦି ସରକାର। ଏଥିପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ବହୁତ ଧନ୍ୟବାଦ ଜଣାଉଛି। ଏମିତି କିଛି କୋହଭରା କଣ୍ଠରେ କହିଛନ୍ତି ପହଲାଗାମ ଆତଙ୍କ ହମଲାରେ ମୃତ୍ୟୁ ବରଣ କରିଥିବା ପ୍ରଶାନ୍ତ ଶତପଥୀଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ଶତପଥୀ ।
ପାକିସ୍ତାନ ଉପରେ ଭାରତର ଏୟାରଷ୍ଟ୍ରାଇକ ପରେ ସେ କହିଛନ୍ତି, ପହଲଗାମ ହମଲା ପରେ ଆମେ ଭାବୁଥିଲୁ ସରକାର କାହିଁକି ଚୁପ ବସିଛନ୍ତି କାହିଁକି କିଛି ବଦଲା ନେଉ ନାହାଁନ୍ତି । ହେଲେ ସରକାର ପୂରା ପ୍ଲାନ କରି ବଦଲା ନେଇଛନ୍ତି। ସରକାର ବହୁତ ଭଲ କାମ କରିଛନ୍ତି। ସେଇ ମଙ୍ଗଳବାର ପ୍ରତିଶୋଧ ନେଲେ ଭାରତ ସରକାର ଯେଉଁ ମଙ୍ଗଳବାରରେ ସେମାନେ ନିରୀହ ଲୋକଙ୍କୁ ମାରି ସିନ୍ଦୁର ପୋଛିଦେଇଥିଲେ । ସେମାନେ ଯେପରି କାହାକୁ କିଛି ନ କହିକି ନୀରିହ ଲୋକଙ୍କୁ ମାରି ପକାଇଥିଲେ, ମୋଦି ସେପରି ପ୍ରତିଶୋଧ ନେଇଛନ୍ତି। ଏଥିପାଇଁ ମୁଁ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆତଙ୍କୀଙ୍କୁ ଏମିତି ଆକ୍ରମଣ କରନ୍ତୁ ଯେ, ଆଉଥରେ ଆକ୍ରମଣ କରିବାକୁ ପାଞ୍ଚ ଥର ଭାବିବେ।
ମୋଦୀ ସରକାରଙ୍କୁ ବହୁତ ଧନ୍ୟବାଦ, ସେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଚେଷ୍ଟା କରିଛନ୍ତି। ସରକାର ଯାହା କହିଥିଲେ, ତାହା କରିଛନ୍ତି। ଏଥିପାଇଁ ମୁଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛି ବୋଲି ପ୍ରଶାନ୍ତ ଶତପଥୀଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ କହିଛନ୍ତି।
ସୂଚନାଯୋଗ୍ୟ, ପହଲଗାମରେ ଆତଙ୍କବାଦୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ‘ଅପରେସନ ସିନ୍ଦୂର’ ସଫଳ ହୋଇଛି । ମଧ୍ୟରାତ୍ରିରେ ପାକିସ୍ତାନରେ ଭାରତୀୟ ସେନା କରିଥିବା ଏୟାରଷ୍ଟ୍ରାଇକ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି। ପାକ ଅଧିକୃତ କାଶ୍ମୀରରେ ବି ପ୍ରଚଣ୍ଡ ହମଲା କରାଯାଇଥିବା ନେଇ ସୂଚନା ମିଳିଛି। ଲଢୁଆ ଯୁଦ୍ଧ ବିମାନ ଓ ମିଶାଇଲ ଯୋଗେ ଆତଙ୍କୀ ଶିବିରରେ ହମଲା କରିଛି ଭାରତୀୟ ସେନା । ମୋଟ ୯ଟି ସ୍ଥାନକୁ କରାଯାଇଛି ଟାର୍ଗେଟ ।