ମୁମ୍ବାଇ: ମନୋରଞ୍ଜନ ଦୁନିଆର ସବୁଠାରୁ ବଡ଼ ଫ୍ୟାଶନ୍ ଆଇକନ୍ ଶୋ ମେଟ୍ ଗାଲା-2025 (Met Gala-2025) ଆରମ୍ଭ ହୋଇଯାଇଛି । ଏଥିରେ ବଲିଉଡj ଅନେକ ନାମୀଦାମୀ କଳାକାରଙ୍କୁ ଦେଖିବାକୁ ମିଳିଛି । ତେବେ ପ୍ରଥମ ଥର ମେଟ୍ ଗାଲା ବ୍ଲୁ କାର୍ପେଟରେ ପାଦ ରଖିଥିବା କିଙ୍ଗ୍ ଖାନ୍ ଶାହରୁଖ ଖାନ ସମସ୍ତଙ୍କୁ ଧ୍ୟାନ ଆକର୍ଷଣ କରିଛନ୍ତି । ସେହିପରି ଅଭିନେତ୍ରୀ କିଆରା ଆଡଭାନୀ ନିଜର ବେବି ବମ୍ପ୍ ଦେଖାଇଥିବାବେଳେ ଏକଦମ ରାଜକୀୟ ପୋଷାକରେ ନଜର ଆସିଛନ୍ତି ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜ ।
ବହୁ ଦିନ ପ୍ରତୀକ୍ଷା ପରେ ବଲିଉଡରେ ଜଣେ ଅଭିନେତା ମେଟ୍ ଗାଲାକୁ ଆସିଛନ୍ତି । କିଙ୍ଗ୍ ଖାନ୍ ମେଟ୍ ଗାଲାରେ ନିଜ ପ୍ରଶଂସକଙ୍କୁ ଖୁସି କରିଛନ୍ତି । ଏହା ସହିତ ଶାହାରୁଖ ମେଟ୍ ଗାଲାରେ ପ୍ରଥମ ଭାରତୀୟ ଅଭିନେତା ଭାବେ ଇତିହାସ ସୃଷ୍ଟି କରିଛନ୍ତି । ପ୍ରତିଷ୍ଠିତ ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀଙ୍କ ଦ୍ୱାରା ଡିଜାଇନର ଏକ କଳା ରଙ୍ଗର ପୋଷାକରେ ଏସ୍ଆରକେ ମନ କିଣି ନେଇଛନ୍ତି । ସେ ଏକ ଫୁଲ୍ କୋଟ୍ ପିନ୍ଧିଥିବାବେଳେ ବେକରେ ହୀରାର ଲକେଟ୍ ସହ ଚେନ୍ ପିନ୍ଧିଛନ୍ତି । ସେ ତାଙ୍କ ନିଜ ପିଲାମାନଙ୍କ ଖୁସି ପାଇଁ ରେଡ୍ କାର୍ପେଟକୁ ଆସିଛନ୍ତି ବୋଲି କହିଛନ୍ତି । ସେଥିପାଇଁ ସେ ବହୁତ ଡରୁଥିଲେ ବୋଲି କହିଛନ୍ତି ।
ସେହିପରି କିଆରା ଆଡଭାନୀ ମଧ୍ୟ ପ୍ରଥମ ଥର ପାଇଁ ମେଟ୍ ଗାଲାକୁ ଆସିଛନ୍ତି । ସେ ଚତୁର୍ଥ ଭାରତୀୟ ଅଭିନେତ୍ରୀଭାବେ ଏଥିରେ ଅଂଶ ଗ୍ରହଣ କରିଛନ୍ତି । କିଆରା କଳା ରଙ୍ଗ ଏବଂ ଗୋଲଡେନ୍ ରଙ୍ଗର ଡିଜାଇନ୍ ଗାଉନ ପିନ୍ଧି ନିଜର ବେବି ବମ୍ପ୍ ଦେଖାଇଛନ୍ତି । ବହୁତ କମ୍ ମେକଅପ୍ ଏବଂ ବିନା ଅଳଙ୍କାର ଖୁବ୍ ସୁନ୍ଦର ଦିଶୁଛନ୍ତି । ତାଙ୍କର ଡ୍ରେସକୁ ଗୌରବ ଗୁପ୍ତା ଡିଜାଇନ୍ କରିଛନ୍ତି ।
ସେହିପରି ପଞ୍ଜାବୀ ପପ୍ ସିଙ୍ଗର୍ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜ ମହାରାଜା ଅବତାରରେ ନଜର ଆସିଛନ୍ତି । ମୁଣ୍ଡରେ ପଗଡ଼ି, ହାତରେ ଖଣ୍ଡା ଏବଂ ଧଳା ରଙ୍ଗର ରାଜକୀୟ ପୋଷାକ ପରିଧାନ କରିଛନ୍ତି । ପଞ୍ଜାବର ପଟିଆଲା ମହାରାଜା ଭୂପିନ୍ଦର ସିଂହଙ୍କ ଅବତାରରେ ଦିଲଜିତ୍ ଦୋସାଞ୍ଜ । ସେ ନିଜର ପୋଷାକରେ ପୁରା ପଞ୍ଜାବର ସଂସ୍କୃତିକୁ ବିଶ୍ୱ ଦରବାରରେ ଦେଖାଇଛନ୍ତି । ଏହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।