ରାୟପୁର: ଗୋଟିଏ ପଟେ ମାଓ ସଂଗଠନ ବାରମ୍ବାର ଶାନ୍ତି ପ୍ରସ୍ତାବ ଦେଉଥିବାବେଳେ ଅନ୍ୟପଟେ ସାଧାରଣ ଜନତାଙ୍କୁ କରୁଛନ୍ତି ହତ୍ୟା । ପୁଣି ମାଓବାଦୀଙ୍କର ଏକ ବର୍ବର କାଣ୍ଡ ସାମ୍ନାକୁ ଆସିଛି । ଛତିଶଗଡ଼ରେ ଜଣେ ନାଏବ ସରପଞ୍ଚଙ୍କୁ ହତ୍ୟା କରିଛି ଲାଲ ବାହିନୀ । ମୃତ ନାଏବ ସରପଞ୍ଚ ଜଣକ ହେଲେ ସୁକମା ଜିଲ୍ଲା ଅନ୍ତର୍ଗତ ତାରଲାବେଡ଼ା ପଞ୍ଚାୟତର ନାଏବ ସରପଞ୍ଚ ମୁଚାକି ରାମା । ପୋଲିସର ସୂଚନା ଦାତା ସନ୍ଦେହ କରି ମୁଚାକିଙ୍କ ଗଳାକାଟି ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି ।
ଗତକାଲି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନାର ଜଗଦଲପୁର ଓ ଶରଧାପୁର ଅଞ୍ଚଳରେ କୁମ୍ବିଂ ଅପରେସନ୍ ବେଳେ ୪ଟି ଆଇଇଡି ବୋମା ଉଦ୍ଧାର କରାଯାଇଥିଲା । ସେଥିରେ ଗୋଟିଏ ପ୍ରେସର କୁକୁର ବୋମା ଓ ୩ଟି ଟିଫିନ୍ ବୋମା ଥିଲା । ଆଇଇଡିଗୁଡ଼ିକର ଓଜନ ପ୍ରାୟ ୪ରୁ ୫କେଜି ରହିଥିଲା। ଆଇଇଡିଗୁଡ଼ିକୁ ସିଆର୍ପିଏଫ୍ର ବମ୍ ସ୍କ୍ୱାଡ୍ ନିଷ୍କ୍ରିୟ କରିଛନ୍ତି ବୋଲି ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ସ୍ୱାଥୀ ଏସ୍ କୁମାର ସୂଚନା ଦେଇଛନ୍ତି ।