ବଡ଼ ପ୍ରତିଶୋଧ ନେଇଛି ଭାରତ। ରାତି ଅଧରେ ପାକିସ୍ତାନ ଉପରେ କରିଛି ଏୟାର ଷ୍ଟ୍ରାଇକ ‘ଅପରେସନ୍ ସିନ୍ଦୂର’। ଏହା ପରେ ବୁଧବାର ‘ଅପରେସନ୍ ସିନ୍ଦୂର’ନେଇ ଭାରତୀୟ ସଶସ୍ତ୍ର ବାହିନୀ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲା, ଯେଉଁଥିରେ ବରିଷ୍ଠ ମହିଳା ଅଧିକାରୀ କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ମିଳିତ ଭାବରେ ପ୍ରେସ ବ୍ରିଫିଙ୍ଗ କରିଥିଲେ। ମଧ୍ୟରାତ୍ରୀରେ ପାକିସ୍ତାନ ଉପରେ ଭାରତ କରିଥିବା ଏୟାର ଷ୍ଟ୍ରାଇକ୍ ‘ଅପରେସନ ସିନ୍ଦୁର’ ପରେ କର୍ଣ୍ଣେଲ ସୋଫିଆ କୁରେଶୀଙ୍କୁ ମିଳିଥିଲା ତଥ୍ୟ ପ୍ରମାଣ ସହ ‘ଅପରେସନ୍ ସିନ୍ଦୂର’ ବିଷୟରେ କହିବାର ନେତୃତ୍ୱ। ତେବେ କିଏ ଏହି କର୍ଣ୍ଣେଲ ସୋଫିଆ କୁରେଶୀ ଯାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
କିଏ ଏହି କର୍ଣ୍ଣେଲ ସୋଫିଆ କୁରେଶୀ?
କର୍ଣ୍ଣେଲ ସୋଫିଆ କୁରେସି ହେଉଛନ୍ତି ଗୁଜରାଟର ବାସିନ୍ଦା । ତାଙ୍କ ଜନ୍ମ ୧୯୮୧ ମସିହାରେ ବଦୋଦରାରେ ହୋଇଥିଲା । ବାୟୋକେମେଷ୍ଟ୍ରିରେ ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି ସୋଫିଆ । ରିପୋର୍ଟ ମୁତାବକ, ସୋଫିଆଙ୍କ ଜେଜେ ସେନାରେ ଥିଲେ , ତାଙ୍କ ବାପା ମଧ୍ୟ ଅନେକ ବର୍ଷ ଧରି ସେନାରେ ସେବା ଦେଇଛନ୍ତି । ସୋଫିଆଙ୍କ ବିବାହ ସେନାର ଅଧିକାରୀ ମେଜର ତାଜୁଦ୍ଦିନ କୁରେସିଙ୍କ ସହ ହୋଇଛି ।
୧୯୯୯ରେ ସେନାରେ ଏଣ୍ଟ୍ରି କଲେ ସୋଫିଆ । ୧୯୯୯ରେ ଚେନ୍ନାଇରେ ଥିବା ଅଫିସର୍ସ ଟ୍ରେନିଙ୍ଗ ଏକାଡେମୀରୁ ପ୍ରଶିକ୍ଷର ନେଇ ଲେଫ୍ଟେନାଣ୍ଟ ଭାବେ ଦାୟିତ୍ବ ପାଇଲେ । ୨୦୦୬ରେ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ଶାନ୍ତି ସ୍ଥାପନା ମିଶନରେ ପର୍ୟ୍ୟବେକ୍ଷକ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୧୦ରେ ଶାନ୍ତି ସ୍ଥାପନା ସହ ଜଡିତ ଅଭିଯାନରେ ମଧ୍ୟ ସାମିଲ ହୋଇଥିଲେ । ପଞ୍ଜାବ ସୀମାରେ ଅପରେସନ୍ ପରାକ୍ରମ ଚାଲିଥିବା ସମୟରେ ତାଙ୍କ ଦାୟିତ୍ବ ପାଇଁ ତାଙ୍କୁ ଜେନେରାଲ ଅଫିସର୍ସ କମାଣ୍ଡିଙ୍ଗ ଇନ୍ ଚିଫ୍ ସମ୍ମାନ ମିଳିଥିଲା।
କର୍ଣ୍ଣେଲ ସୋଫିଆ କୁରେଶୀ ପ୍ରଥମ ମହିଳା ଅଧିକାରୀ ଥିଲେ ଯିଏ ଏକ ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସରେ ସେନା ତାଲିମ କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିଲେ। ସେ ୨୦୧୬ରେ ‘ଏକ୍ସରସାଇଜ୍ ଫୋର୍ସ ୧୮’ରେ ୪୦ ଜଣିଆ ଭାରତୀୟ ସେନା କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିଲେ। ସମସ୍ତ ଏସିଆନ୍ ପ୍ଲସ୍ କଣ୍ଟିଜେଣ୍ଟ ମଧ୍ୟରେ ସେ ଏକମାତ୍ର ମହିଳା ଅଧିକାରୀ କଣ୍ଟିଜେଣ୍ଟ କମାଣ୍ଡର ରହିଥିଲେ। ଏହି ଅଭ୍ୟାସ ପୁଣେରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଚୀନ୍, ଆମେରିକା, ରୁଷ, ଜାପାନ ଏବଂ ଦକ୍ଷିଣ କୋରିଆ ସମେତ ୧୮ ଟି ଏସିଆନ୍ ପ୍ଲସ୍ ଦେଶ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ, ସେ ଛଅ ବର୍ଷ ଧରି ଜାତିସଂଘ ଶାନ୍ତିରକ୍ଷା ଅଭିଯାନ (PKO) ସହିତ କାର୍ଯ୍ୟ କରିଥିଲେ ଏବଂ ୨୦୦୬ ରେ କଙ୍ଗୋରେ ଜାତିସଂଘ ମିଶନର ଅଂଶ ଥିଲେ କୁରେଶୀ।