ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତର ସମସ୍ତ ବିଚାରପତି ସେମାନଙ୍କର ସମ୍ପତ୍ତିର ସୂଚନା ସାର୍ବଜନୀନ କରିଛନ୍ତି । ବର୍ତ୍ତମାନର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ପରବର୍ତ୍ତୀ ପ୍ରଧାନ ବିଚାରପତି ବି.ଆର୍. ଗବାଇଙ୍କ ସମେତ ୩୩ଜଣ ବିଚାରପତିଙ୍କ ସମ୍ପତ୍ତି ସୂଚନା ସୁପ୍ରିମକୋର୍ଟ ୱେବସାଇଟରେ ଅପଲୋଡ୍ କରାଯାଇଛି ।
ସୁପ୍ରିମକୋର୍ଟ ବିଚାରପତିମାନେ ସେମାନଙ୍କର ଏବଂ ସେମାନଙ୍କ ବାସଗୃହ, ପୈତୃକ ସମ୍ପତ୍ତି, କୃଷି ଜମି, ବ୍ୟାଙ୍କ ଜମା ରାଶି, ଅଳଙ୍କାର ଇତ୍ୟାଦି ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି । ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଦେଇଥିବା ସମ୍ପତ୍ତି ତାଲିକେ ତାଙ୍କର ଦକ୍ଷିଣ ଦିଲ୍ଲୀରେ ଏକ ୩ ବିଏଚକେ ଫ୍ଲାଟ୍, ଦିଲ୍ଲୀର କମନୱେଲଥ ଗେମ୍ସ ଭିଲେଜରେ ୨ଟି ପାର୍କିଂ ସ୍ଥାନ ସହିତ ୪ ବିଏଚକେ ଫ୍ଲାଟ୍, ଗୁରୁଗ୍ରାମରେ ଏକ ଫ୍ଲାଟ୍ ୫୬% ଅଂଶଧନ, ହିମାଚଳ ପ୍ରଦେଶର ଡାଲହାଉସିରେ ପୈତୃକ ସମ୍ପତ୍ତିରେ ତାଙ୍କର ଅଂଶଧନ ଅଛି । ମୁଖ୍ୟ ବିଚାରପତି ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ପିଏଫ୍ ଆକାଉଣ୍ଟ, ସେୟାର, ସୁନା ଇତ୍ୟାଦି ସୂଚନା ମଧ୍ୟ ସାର୍ବଜନୀନ କରିଛନ୍ତି । ସଞ୍ଜିବ ଖାନ୍ନାଙ୍କର ଫିକ୍ସ ଡିପୋଜିଟ୍ ଏବଂ ବ୍ୟାଙ୍କ ଆକାଉଣ୍ଟରେ ୫୫.୭୫ ଲକ୍ଷ ଟଙ୍କା ଅଠ ଏବଂ ପିପିଏଫରେ ୧.୦୬ କୋଟି ଟଙ୍କା ଅଛି।ସେ ତାଙ୍କ ପତ୍ନୀ ଏବଂ ପରିବାରର ସମ୍ପତ୍ତି ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି।
ସେହିପରି, ବରିଷ୍ଠତମ ବିଚାରପତି ତଥା ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଥିବା ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇଙ୍କର ମହାରାଷ୍ଟ୍ରର ଅମରାବତୀରେ ଏକ ଘର ଏବଂ କୃଷି ଜମି ଅଛି ଯାହା ସେ ତାଙ୍କ ସ୍ୱର୍ଗତ ପିତାଙ୍କଠାରୁ ଉତ୍ତରାଧିକାରୀ ଭାବରେ ପାଇଛନ୍ତି, ତାଙ୍କର ମୁମ୍ବାଇର ବାନ୍ଦ୍ରା ଏବଂ ଦିଲ୍ଲୀର ଡିଫେନ୍ସ କଲୋନୀରେ ଫ୍ଲାଟ୍ ଅଛି ଏବଂ ନାଗପୁରରେ ମଧ୍ୟ କୃଷି ଜମି ଅଛି । ବ୍ୟାଙ୍କ ଜମା ରାଶି ଓ ସୁନା ଅଳଙ୍କାର ରହିଛି । ମେ ୧୪ ତାରିଖରେ ଦାୟିତ୍ୱ ଗ୍ରହଣ କରୁଥିବା ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବାଇଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୯.୬୩ ଲକ୍ଷ ଟଙ୍କା ଏବଂ ପିପିଏଫ ଆକାଉଣ୍ଟରେ ୬.୫୯ ଲକ୍ଷ ଟଙ୍କା ଅଛି । ସେହିପରି ଜଷ୍ଟିସ୍ ଗବାଇ ତାଙ୍କ ପତ୍ନୀଙ୍କ ସମ୍ପତ୍ତି ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି।
ଏପ୍ରିଲ ୧ ତାରିକରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ ଯେ ସମସ୍ତ ୩୩ ଜଣ ବିଚାରପତିଙ୍କ ସମ୍ପତ୍ତି ସୂଚନା ସୁପ୍ରିମକୋର୍ଟ ୱେବସାଇଟରେ ଉପଲବ୍ଧ ହେବ । ନ୍ୟାୟପାଳିକାରେ ଦୁର୍ନୀତି ସମ୍ପର୍କିତ ଖବର ପ୍ରସାରଣ ପରେ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ସମ୍ପତ୍ତି ଘୋଷଣା ସମ୍ପର୍କରେ ବିଚାରପତିଙ୍କ ପୂର୍ଣ୍ଣ ଅଦାଲତ ବୈଠକରେ ଗୃହୀତ ପ୍ରସ୍ତାବ ଭବିଷ୍ୟତ ପାଇଁ ମଧ୍ୟ ପ୍ରଯୁଜ୍ୟ ରହିବ।