ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ଉତ୍ତେଜନା ପରିସ୍ଥିତି ବୃଦ୍ଧି ପାଇଁ । ଆତଙ୍କବାଦ ବିରୁଦ୍ଧରେ ଭାରତୀୟ ସେନାର ଅପରେସନ୍ ସିନ୍ଦୂରର ପ୍ରଭାବ ବିମାନ ଚଳାଚଳ ଉପରେ ପଡ଼ିଛି । ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ପ୍ରାୟ ୨୦୦ ବିମାନକୁ ବାତିଲ କରାଯାଇଛି । ଏହା ସହିତ ବିମାନବନ୍ଦରଗୁଡ଼ିକୁ ବନ୍ଦ କରାଯାଇଛି ।
ପାକିସ୍ତାନ ଏବଂ ପିଓକେରେ ଆତଙ୍କବାଦୀ ସ୍ଥାନଗୁଡ଼ିକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଆକ୍ରମଣ ପରେ ୨୦୦ ରୁ ଅଧିକ ବିମାନ ବାତିଲ କରାଯାଇଛି । ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସଜେଟ୍, ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଆକାସା ଏୟାର ଭଳି ବିମାନ କମ୍ପାନୀ ସହିତ ଅନେକ ବିଦେଶୀ ବିମାନ କମ୍ପାନୀ, ଆକାଶ ମାର୍ଗ ପ୍ରତିବନ୍ଧକ ଯୋଗୁଁ ଅନେକ ସେବା ବନ୍ଦ କରିଦେଇଛନ୍ତି । ରାତି ୧୨ଟା ପରଠାରୁ ଦିଲ୍ଲୀକୁ ଯିବା ଏବଂ ଆସିବା ପାଇଁ ଅତି କମରେ ୩୫ଟି ବିମାନ ବାତିଲ କରାଯାଇଛି, ୨୩ ଟି ଘରୋଇ ପ୍ରସ୍ଥାନ ଏବଂ 8ଟି ଆଗମନ ମଧ୍ୟ ବାତିଲ କରାଯାଇଛି ।
ପିଟିଆଇ ସୂତ୍ର ଅନୁଯାୟୀ, ଦେଶର ଉତ୍ତର ଏବଂ ପଶ୍ଚିମ ଭାଗରେ ଅତି କମରେ 18 ଟି ବିମାନବନ୍ଦରକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ଏହା ବ୍ୟତୀତ, ଚାରୋଟି ଅନ୍ତର୍ଜାତୀୟ ପ୍ରସ୍ଥାନ ବାତିଲ କରାଯାଇଛି । ଆମେରିକୀୟ ଏୟାରଲାଇନ୍ସ ସମେତ ବିଦେଶୀ ବିମାନ କମ୍ପାନୀମାନେ ଦିଲ୍ଲୀ ବିମାନବନ୍ଦରରୁ ସେମାନଙ୍କର କିଛି ସେବା ବାତିଲ କରିଛନ୍ତି।
ପଠାନକୋଟ (IXP), ଜୈସଲମେର (JSA), ସିମଲା (SLV), ଧର୍ମଶାଳା (DHM), ଲେହ (IXL), ଜମ୍ମୁ (IXJ), ଶ୍ରୀନଗର (SXR),ଅମୃତସର (ATQ),ଯୋଧପୁର (JDR), ଚଣ୍ଡିଗଡ଼ (IXC), ଜାମନଗର (JGA), ଦିଲ୍ଲୀ (DEL), ଭୁଜ (BHJ), ରାଜକୋଟ (RAJ) ପାଇଁ ମେ ୧୦ ତାରିଖ ପର୍ଯ୍ୟନ୍ତ ବେସାମରିକ ବିମାନ ଚଳାଚଳ ବନ୍ଦ ରହିବ। ଯାତ୍ରୀମାନଙ୍କୁ ବିମାନବନ୍ଦର ଯିବା ପୂର୍ବରୁ ଅପଡେଟ୍ ଯାଞ୍ଚ କରିବାକୁ ଅନୁରୋଧ କରିଛି କମ୍ପାନୀ । ତେବେ ଯାତ୍ରୀମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବାର ବ୍ୟବସ୍ଥା ମଧ୍ୟ ରହିଛି ।
ମେ ୧୦ ସକାଳ ୫:୨୯ ପର୍ଯ୍ୟନ୍ତ ଶ୍ରୀନଗର, ଜମ୍ମୁ, ଅମୃତସର, ଲେହ, ଚଣ୍ଡିଗଡ଼, ଧର୍ମଶାଳା, ଯୋଧପୁର ଏବଂ ବିକାନେର ଭଳି ହାଇ-ଆଲର୍ଟ ଜୋନକୁ ଏବଂ ସେଠାରୁ ସମସ୍ତ ସେବା ସମେତ ୧୬୫ ରୁ ଅଧିକ ଘରୋଇ ବିମାନ ବାତିଲ କରିଛି ଇଣ୍ଡିଗୋ।
ସେହିପରି ଏୟାର ଇଣ୍ଡିଆ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅମୃତସର, ଜମ୍ମୁ, ଶ୍ରୀନଗର ଏବଂ ଲେହ, ଯୋଧପୁର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟରୁ ସମସ୍ତ ବିମାନ ବାତିଲ କରିଛି । ଏହା ସହିତ ଅମୃତସର ଓ ଦିଲ୍ଲୀ ଅଭିମୁଖେ ଯାଉଥିବା ଦୁଇଟି ଅନ୍ତର୍ଜାତୀୟ ବିମାନର ରୁଟ୍ ପରିବର୍ତ୍ତନ କରାଯାଇଛି ।