ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୫ ବିଭାଗର ୮ଟି ପ୍ରସ୍ତାବ ଉପରେ ମଞ୍ଜୁରୀ ମିଳିଛି । ବାଣିଜ୍ୟ ଓ ପରିବହନ ବିଭାଗର ଏକ ମୁଖ୍ୟ ଯୋଜନାକୁ କ୍ୟାବିନେଟରେ ମଞ୍ଜୁରୀ ମିଳୁଛି । ଯାହା ହେଉଛି ମୁଖ୍ୟମନ୍ତ୍ରୀ ବସ ସେବା। ରାଜ୍ୟରେ ଖୁବ ଶୀଘ୍ର ଯାତ୍ରୀଙ୍କ ସହଜ ଓ ସରଳ ଯାତ୍ରା ପାଇଁ ଏହି ସେବା ଆରମ୍ଭ ହେବ ।
ଏହା ମାଧ୍ୟମରେ ମହିଳା, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଟ୍ରାନ୍ସ ଜେଣ୍ଡରମାନଙ୍କୁ ୫୦ ପ୍ରତିଶତ ରିହାତି ମିଳିବ । ଏହି ବସରେ ସମସ୍ତ ଅତ୍ୟାଧୁନିକ ସେବା ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବ । ସିସିଟିଭି, ଲାଇଭ ଭ୍ୟାନ ଟ୍ରାକିଂ, ପାନିକ୍ ବଟନ ରହିବା ସହିତ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ରାଜ୍ୟ ସରକାର ‘ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ନାଁରେ ୧୦୦୦ କୋଟି ବ୍ୟୟରେ ଆନୁମାନିକ ୫୦୦ କିମି ନୂତନ ରାସ୍ତା ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।
ପ୍ରାଣୀ ଚିକିତ୍ସା ବୈଷୟିକ ସେବା ନିୟମ ଏବଂ ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡରରେ ୧୧୩ ନୂତନ ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଫ୍ୟାମିଲ ପେନସନ ବ୍ୟବସ୍ଥାରେ ମଧ୍ୟ ଏହି ବୈଠକରେ ସଂଶୋଧନ କରାଯାଇଛି। ପୂର୍ବରୁ ଏହି ବ୍ୟବସ୍ଥା ମାଧ୍ୟମରେ କେବଳ ଅବିବାହିତ ଝିଅଙ୍କୁ ସୁବିଧା ମିଳୁଥିଲା କିନ୍ତୁ ସଂଶୋଧନ କରାଯାଇ ଯଦି ଦିବ୍ୟାଙ୍ଗ ଝିଅ ହୋଇଥିବେ, ତାଙ୍କର ବାହାଘର ସରିଛି, ତଥାପି ପେନସନ ପାଇପାରିବେ। କେବଳ ପରିବାରର ଆୟ ୫ଲକ୍ଷରୁ କମ ଥିବା ଆବଶ୍ୟକ ରହିଛି । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକ ଶେଷ ହେବା ପରେ ସୂଚନା ଦେଇଥିଲେ ।