ଭୁବନେଶ୍ୱର : ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏବେ ଚାରିଆଡେ ହାଇଆର୍ଲଟ । ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଓଡିଶାର ଏକ ୱେବସାଇଟ୍କୁ ହ୍ୟାକ୍ କରିଛି ପାକିସ୍ତାନ । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ)ର ୱେବସାଇଟ୍ 'ପାକିସ୍ତାନ ସାଇବର ଫୋର୍ସ' ଭାବରେ ନିଜର ପରିଚୟ ଦେଉଥିବା ଏକ ଗୋଷ୍ଠୀ ଦ୍ୱାରା ହ୍ୟାକ୍ ହୋଇଥିବା ଜଣାପଡ଼ିଛି । ଏହି ସାଇବର ଆକ୍ରମଣରେ ରାଜ୍ୟ ସରକାରୀ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର ଓ୍ବେବସାଇଟଗୁଡ଼ିକୁ ଟାର୍ଗେଟ କରାଯାଇଛି ।
ସୂଚନା ଅନୁଯାୟୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୱେବସାଇଟ୍ ଉପରେ କ୍ଲିକ୍ କଲେ ଏକ ଅସ୍ବାଭାବିକ ହୋମପେଜ୍ ଦେଖାଯାଉଛି ଯେଉଁଥିରେ ଲେଖା ଅଛି "ଏହି ୱେବସାଇଟ୍ ପାକିସ୍ତାନ ସାଇବର ଫୋର୍ସ ଦ୍ୱାରା ହ୍ୟାକ୍ କରାଯାଇଛି। ବୁଧବାରଠାରୁ ୱେବସାଇଟ୍ ଅକାମୀ ହୋଇଯାଇଥିବା ବେଳେ ଗୁରୁବାର ସାଇଟ୍ ପରିଦର୍ଶନ କରୁଥିବା ବ୍ୟବହାରକାରୀମାନେ ଏହା ବ୍ଲକଡ୍ ହୋଇଥିବା ଦେଖିବାକୁ ପାଇଥିଲେ। କିନ୍ତୁ ଏହାକୁ ଆକ୍ସେସ କରି ହେଉ ନଥିବା ଜଣାପଡ଼ିଛି।
ତେବେ ଏହି ଘଟଣା ସମ୍ପର୍କରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତି ଜାରି କରାଯାଇ ନାହିଁ। ସାଇବର ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୱେବସାଇଟ୍ କାହିଁକି ଟାର୍ଗେଟ କରାଯାଇଛି ତାହା ମଧ୍ୟ ଜଣାପଡ଼ିନାହିଁ।