ଫୁଲବାଣୀ: ଏକ ବାଇକ୍ ଚୋରୀ ରାକେଟର ପର୍ଦ୍ଦାଫାସ କରିଛି ଫୁଲବାଣୀ ଟାଉନ୍ ଥାନା ପୋଲିସ । ବିଭିନ୍ନ ସ୍ଥାନରୁ ବାଇକ ଚୋରି କରିବା ଅଭିଯୋଗରେ ପୋଲିସ୍ ୩ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ୍ । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ମଧ୍ୟ ଜଣାପଡ଼ିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଘୋଡ଼ା ପଥର ଗାଁର ରାହୁଲ ନାୟକ ଏବଂ ଫୁଲବାଣୀ ମୁଣ୍ଡିଆ ସାହିର କୈଳାଶ କାମ୍ପ । ସେମାନଙ୍କ ନିକଟରୁ ୫ ଟି ଚୋରି ବାଇକ୍, ଗୋଟିଏ ଅଟୋ ଓ ଗୋଟିଏ ଆଇଫୋନକୁ ଜବତ କରାଯାଇଛି । ଏ ନେଇ ଟାଉନ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସଡିପିଓ ଶୁଭ୍ରଜିତ୍ ବିଶ୍ଵାଳ ।
ଏସଡିପିଓଙ୍କ ସୂଚନା ମୁତାବକ, ସୋମବାର ସକାଳେ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ଜଣେ ସ୍କୁଟି ଚାଳକଙ୍କୁ ଦେଖି ପୋଲିସର ସନ୍ଦେହ ହୋଇଥିଲା । ପାଟ୍ରୋଲିଂ ଟିମ୍ ଉକ୍ତ ଗାଡ଼ିକୁ ଅଟକାଇଥିଲା । ଏହା ପରେ ଉକ୍ତ ସ୍କୁଟି ଏକ ଚୋରି ଗାଡ଼ି ଥିବା ପୋଲିସ ଜାଣିବାକୁ ପାଇଥିଲା । ସ୍କୁଟି ଚାଳକଙ୍କୁ ଜେରା କରିବା ସମୟରେ ଅନ୍ୟ ଦୁଇ ଜଣକ ବିଷୟରେ ପୋଲିସ ଜାଣିବାକୁ ପାଇବା ପରେ ସେମାନଙ୍କୁ ମଧ୍ୟ ଗିରଫ କରିଛି । ଏହି ରାକେଟରେ ଆହୁରି ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ ଅନୁମାନ କରୁଛି । ଆଗକୁ ଆହୁରି ତଦନ୍ତ ହେଲେ ତାହା ଜଣାପଡ଼ିବ ବୋଲି ଏସଡିପିଓ କହିଛନ୍ତି ।
ପୋଲିସ ଜବତ ଗାଡ଼ି ଓ ଆଇଫୋନକୁ ଉପଯୁକ୍ତ ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ପି ସ୍ୱରୂପ କିସାନ୍,ଏସ ଆଇ ସରୋଜ ସାହୁ, ଏସଆଇ ଏସ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।