ଭୁବନେଶ୍ୱର: ଜାନୁୟାରୀ ମାସ ଶେଷ ନ ହେଉଣୁ ଖରା ତାର ପ୍ରକୋପ ଦେଖାଇବା ଆରମ୍ଭ କରିଦେଲାଣି । ରାଜ୍ୟରେ ଏବେ ଶୀତ ଗାଏବ ହୋଇଥିବାବେଳେ ସୂର୍ଯ୍ୟ ତାଙ୍କର ରୌଦ୍ର ରୂପ ଦେଖାଇବା ଆରମ୍ଭ କରି ଦେଲେଣି । ସକାଳୁ ସକାଳୁ ଘନ କୁହୁଡ଼ି ପାଇଁ ଘରୁ ବାହାରିବା ଅସମ୍ଭବ ହେଉଥିବାବେଳେ ମଧ୍ୟାହ୍ନ ବେଳକୁ ହେଉଛି ଟାଇଁ ଟାଇଁ ଖରା । ତେବେ ଫେବ୍ରୁଆରୀରେ ଆହୁରି ବଢ଼ିବ ରାଜ୍ୟର ତାତି । ଏହା ସହିତ ରାଜ୍ୟବାସୀଙ୍କୁ ହନ୍ତସନ୍ତ କରିବ ଘନ କୁହୁଡ଼ି । ଏ ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ପାଣିପାଗର ବିଭାଗ ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢ଼ିବ ତାପମାତ୍ରା । ପାରଦ ଧିରେ ଧିରେ ୨ ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । କୁହୁଡ଼ି ପାଇଁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ତାପମାତ୍ରା ବଢ଼ିବ । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ବଢ଼ିବାର ଆକଳନ କରାଯାଇଛି । ମକର ସଂକ୍ରାନ୍ତି ପରଠାରୁ ପୃଥ୍ୱୀବୀ ଏବଂ ସୂର୍ଯ୍ୟଙ୍କ ଦିଗ ପରିବର୍ତ୍ତନ ହୋଇଛି । ଯେଉଁଥିପାଇଁ ରାଜ୍ୟରେ ଏବେ ଜଳବାୟୁ ଶୁଷ୍କ ରହିଛି ।
ଅନ୍ୟପକ୍ଷରେ ଆସନ୍ତା ୩ ଦିନ ଯାଏଁ ଘନ କୁହୁଡ଼ିରୁ ମଧ୍ୟ ନିସ୍ତାର ମିଳିବ ନାହିଁ । ଘନ କୁହୁଡ଼ି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଁ ଜାରି କରାଯାଇଛି । କେତେକ ସ୍ଥାନରେ ଜିରୋ ଭିଜିବିଲିଟି ରହିବା ସହିତ କେତେକ ସ୍ଥାନରେ ମାତ୍ର ୫୦ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ସେଥିପାଇଁ କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, କଟକ ଓ କେନ୍ଦୁଝରକୁ ଘନ କୁହୁଡ଼ି ପାଇଁ ସତର୍କ ସୂଚନା ଜାରି କରାଯାଇଛି ।