ଭୁବନେଶ୍ୱର: ସରକାରୀ ବାବୁଙ୍କର ଜମି ଉପରେ ଜମି, ସେ ପୁଣି କେଉଁ ଗାଁ ଗହଳିରେ ବରଂ ରାଜଧାନୀରେ । ଭୁବନେଶ୍ୱର ଦାମୀ ଦାମୀ ୯ଟି ପ୍ଲଟ୍ କିଣିଛନ୍ତି ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁ । ଗୁରୁବାର ହୋଇଥିବା ଭିଜିଲାନ୍ସ ଚଢ଼ଉରେ ଏ ସବୁ ଜମିକୁ ଠାବ କରାଯାଇଛି ।
ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏ ବିଭାଗ ପ୍ରକଳ୍ପ ଅଧିକାର ବିଶ୍ୱଦର୍ଶୀ ସାହୁଙ୍କ ଘରେ କରିଛି ବଡ଼ ଧରଣର ଚଢ଼ଉ । ଚଢ଼ଉବେଳେ ତାଙ୍କ ଅମାପ ସମ୍ପତ୍ତିର ଠିକଣା ହାତରେ ଲାଗିଛି । ଭୁବନେଶ୍ୱର, ଯାଜପୁର, ବାଲେଶ୍ୱର ଏବଂ ବଣାଇ କାର୍ଯ୍ୟାଳୟରେ ଯାଞ୍ଚ କରାଯାଇଛି । ଏଥିରେ ତାଙ୍କର ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱରରେ ୨ଟି ଫ୍ଲାଟ୍, ୯ଟି ଦାମୀ ଜମି ଠାବ କରାଯାଇଛି । ସେହିପରି ୧୫୦ ଗ୍ରାମ ସୁନା ସହିତ ୨ ଲକ୍ଷ ୫ ହଜାର ନଗଦ ଟଙ୍କା ଜବତ ହୋଇଛି । ଗୋଟିଏ ଚାରି ଚକିଆ ଟାଟା ଟିଆଗୋ ଗାଡ଼ି ସହିତ ୪ଟି ବାଇକ ମିଳିଛି । ଏହା ସହିତ ତାଙ୍କ ସ୍ତ୍ରୀ ନାମରେ ବାପୁଜୀନଗର ଏସବିଆଇ ବ୍ୟାଙ୍କରେ ଗୋଟିଏ ଲକର୍ ଥିବାବେଳେ ବ୍ୟାଙ୍କ ବୀମା, ପୋଷ୍ଟାଲ ଜମା ଏବଂ ଅନ୍ୟ ନିବେଶ ମଧ୍ୟ ରହିଛି ।
ଭୁବନେଶ୍ୱର ଓଲଡ୍ ଟାଉନସ୍ଥିତ ଶ୍ରୀରାମ ନଗରରେ ଦୁଇ ମହଲା ଘର ରହିଛି । ସେହିପରି ଲକ୍ଷ୍ମୀସାଗର ଭଗବାନ ଟାୱାରରେ ଗୋଟିଏ ଫ୍ଲାଟ୍ ରହିଥିବାବେଳେ ଖାରବେଳ ନଗରରେ ଇଭିଓସ୍ ଗାଲାକ୍ସିରେ ଫ୍ଲାଟ୍ କିଣିବାକୁ ଅଗ୍ରୀମ ୧୫ ଲକ୍ଷ ୭୫ ହଜାର ଟଙ୍କା ଦେଇଛନ୍ତି ।
ଏହା ସହିତ ଭୁବନେଶ୍ୱର ଓ ପୁରୀରେ ରହିଛି ଏକାଧିକ ଜମି । ପୁରୁଣା ଭୁବନେଶ୍ୱରରେ ୩ଟି ପ୍ଲଟ୍, କୁକୁଡ଼ାଘାଇ, ବିଜିପୁର, ବଡ଼ଗଡ଼, ପାଇକରାପୁର, ବାଟଗାଁ, ଖୋର୍ଦ୍ଧା ଜଟଣୀ ଅନ୍ତର୍ଗତ ସାହାସପରୁରେ ଗୋଟିଏ ଲେଖାଏଁ ପ୍ଲଟ୍ ରହିଛି ।
ଅଧିକ ପଢ଼ନ୍ତୁ- ଯମୁନା ପାଣିରେ ବିଷ ଅଭିଯୋଗ: ଜବାବ ରଖିଲେ କେଜ୍ରିୱାଲ, ପ୍ରମାଣ ମାଗିଲେ ନିର୍ବାଚନ ଆୟୋଗ
ଏହି ଚଢ଼ଉରେ ଜଣେ ସହକାରୀ ଏସପି, ୩ ଜଣ ଡିଏସପି, ୧୦ ଇନସ୍ପେକ୍ଟର ଏବଂ ଅନ୍ୟ ସହକାରୀ କର୍ମଚାରୀମାନେ ସାମିଲ ରହିଛି । ସୁନ୍ଦରଗଡ଼ ଜିଲ୍ଲା ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶରେ ଏହି ଯାଞ୍ଚ କରାଯାଉଛି ।