ପ୍ରୟାଗରାଜ/ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭ ମେଳାରେ ମୌନି ଅମାବାସ୍ୟା ସ୍ନାନ ପର୍ବରେ ପ୍ରବଳ ଭିଡ଼ ଜମିଥିଲା। ଫଳରେ ସଙ୍ଗମ ନାକ ନିକଟରେ ମଙ୍ଗଳବାର-ବୁଧବାର ରାତିରେ ଦଳାଚକଟା ହୋଇଛି। ଫଳରେ ଅନେକ ଲୋକ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଆହତମାନଙ୍କୁ ଉଦ୍ଧାର କରାଯାଇ ମହାକୁମ୍ଭରେ ଅବସ୍ଥାପିତ କେନ୍ଦ୍ରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଅପ୍ରୀତିକର ଅଘଟଣ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଫୋନରେ କଥା ହୋଇଛନ୍ତି। ଶ୍ରୀ ଶାହ ମହାକୁମ୍ଭ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ହୋଇଛନ୍ତି। ଏଥି ସହିତ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ତରଫରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ।
ମହାକୁମ୍ଭରେ ଦଳାଚକଟା ଯୋଗୁଁ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କର ଚିକିତ୍ସା ଚାଲିଛି। ଅନେକ ଗୁରୁତର ଆହତଙ୍କୁ ହାୟର ସେଣ୍ଟରକୁ ମଧ୍ୟ ପଠାଯାଇଛି। ସଙ୍ଗମରେ ଭିଡ଼ ଚାପ ବଢ଼ୁଥିବାରୁ ଏହି ଘଟଣା ଘଟୁଛି। ମହାକୁମ୍ଭ ମେଳାର କେନ୍ଦ୍ରୀୟ ଡାକ୍ତରଖାନାକୁ ଶିବିରରେ ପରିଣତ କରାଯାଇଛି। ଗଣମାଧ୍ୟମ କର୍ମଚାରୀଙ୍କୁ ମଧ୍ୟ ହସ୍ପିଟାଲ ଭିତରକୁ ଯିବାକୁ ବାରଣ କରାଯାଇଛି।
ସୂଚନାଯୋଗ୍ୟ, ମହାକୁମ୍ଭରେ ଦଳାଚକଟା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଥା ହୋଇଛନ୍ତି। ଦଳାଚକଟା ଅଘଟଣ ପରେ ଆଖଡ଼ାମାନଙ୍କର ଅମୃତ ସ୍ନାନ ବନ୍ଦ ସ୍ଥଗିତ ରଖାଯାଇଛି। କୌଣସି ପ୍ରକାର ଗୁଜବ ଉପରେ ଧ୍ୟାନ ନଦେବାକୁ ମେଳା ପ୍ରଶାସନ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି। ଏଥିସହିତ ସଂଯମ ରଖିବା ସହ ପ୍ରଶାସନକୁ ସହଯୋଗ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।