ଭୁବନେଶ୍ୱର: ଗାଁଗୁଡ଼ିକର ବିକାଶ, ଜୀବନଧାରଣର ମାନ ବୃଦ୍ଧି, ଅର୍ଥନୈତିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା 'ବିକଶିତ ଗାଁ ବିକଶିତ ଓଡ଼ିଶ' ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶାର ମାର୍ଗଦର୍ଶିକା ଜାରି ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ମଣ୍ଡଳ ଉନ୍ନୟନ ଅଧିକାରୀ (ବିଡ଼ିଓ)ଙ୍କ ନିକଟକୁ ଏହା ପଠାଯାଇଛି । ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପ କରାଯିବ । ବ୍ଲକସ୍ତରରେ ବାର୍ଷିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯୋଜନା କରାଯିବ ।
୨୦୨୪-୨୫ରେ ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ରାଜ୍ୟ ସରକାର ବଜେଟରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି । ସମସ୍ତ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ଉକ୍ତ ଟଙ୍କାକୁ ପ୍ରତି ପଞ୍ଚାୟତକୁ ଆବଣ୍ଟନ କରାଯିବ । ଜିଲ୍ଲା ପରିଷଦକୁ ପାଣ୍ଠି ପ୍ରଦାନ କରାଯିବ ଏବଂ ପରବର୍ତ୍ତୀ ସମୟରେ ଏହି ବ୍ଲକ କିମ୍ବା ଗ୍ରା.ପକୁ ଜନସଂଖ୍ୟା ଆଧାରରେ ବଣ୍ଟନ କରାଯିବ ।
ନୂଆ ବ୍ୟବସ୍ଥା ଅନୁସାରେ ପଛୁଆ ବା ଆଦିବାସୀ ବହୁଳ ଅଞ୍ଚଳକୁ ଏହି ଯୋଜନାରେ ସର୍ବାଧିକ ପ୍ରାଥମିକତା ଦିଆଯିବ । ଏଥିପାଇଁ ମୋଟ ପାଣ୍ଠିର ୪୦ ପ୍ରତିଶତ ବା ୪୦୦ କୋଟି କେବଳ ଇଣ୍ଟିଗ୍ରେଟେଡ୍ ଟ୍ରାଇବାଲ ଡେଭଲପମେଣ୍ଟ ଏଜେନ୍ସି (ଆଇଟିଡିଏ) ଅଧୀନରେ ଥିବା ବ୍ଲକ୍ରେ ଖର୍ଚ୍ଚ ହେବ । ରାଜ୍ୟର ମୋଟ ୩୧୪ ବ୍ଳକ୍ ଭିତରୁ ୧୨୧ଟି ବ୍ଳକ୍ ଆଇଟିଡିଏ ଅଧୀନରେ ଆସୁଛି । ଏ ସବୁ ଅଞ୍ଚଳର ବିକାଶକୁ ସରକାର ଅଧିକ ଗୁରୁତ୍ଵ ଦେବେ ।
ସେହିପର ଅନ୍ୟ ୧୯୩ଟି ବ୍ଲକରେ ଥିବା ପଞ୍ଚାୟତକୁ ୬୦୦ କୋଟି ଟଙ୍କାର ପାଣ୍ଠି ଆବଣ୍ଟନ ହେବ । ପଞ୍ଚାୟତକୁ ମିଳିଥିବା ମୋଟ ପାଣ୍ଠିର ୩୫ ପ୍ରତିଶତ କେବଳ ରାସ୍ତା ନିର୍ମାଣ ପାଇଁ ନିର୍ମାଣ ପାଇଁ ଖର୍ଚ୍ଚ କରାଯିବ । ଗାଁରେ ବ୍ଲକ ଟପ୍ ରୋଡ୍, କଂକ୍ରିଟ୍ ରୋଡ଼, ପେଭର ବ୍ଲକ ରାସ୍ତା ଏବଂ ଡ୍ରେନ୍ ଆଦି ନିର୍ମାଣ କରାଯିବ । ପୂର୍ବରୁ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ଜଙ୍ଗଲ ଅଞ୍ଚଳରେ ରାସ୍ତା ତିଆରି ଉପରେ କଟକଣା ଥିବା ବେଳେ ମୋହନ ସରକାରରେ ସଂରକ୍ଷିତ ଜଙ୍ଗଲ ଓ ଜଙ୍ଗଲ ଅଞ୍ଚଳ ଭିତରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ମେଟାଲିଂ ମାନର ରାସ୍ତା ନିର୍ମାଣ କରାଯିବ ।
ଏହି ଯୋଜନାରେ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପ୍ରତି ବ୍ଲକରେ ପଠନ ଗୃହ ରହିବା ସହିତ ପଢ଼ା ବହି ସାଙ୍ଗକୁ ଇଣ୍ଟରନେଟ୍ ସୁବଧା ମିଳିବ । ଫଳରେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ଏଠାରେ ସ୍ୱଳ୍ପ ଦେୟରେ ପାଠ ପଢ଼ିପାରିବେ । ବିଦ୍ୟାଳୟର ଆଧୁନିକୀକରଣ, ପ୍ରତି ଗାଁରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ।
ସେହିଭଳି ପଞ୍ଚାୟତରେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୁଆ ତୁଠ, ପୋଖରୀ ଓ ନଦୀ କୂଳରେ ଚେଞ୍ଜିଙ୍ଗି ରୁମ୍, ମାର୍କେଟ୍ ସେଡ୍ ତିଆରି ପାଇଁ ଟଙ୍କା ମିଳିବ । ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ ତିଆରି ହେବ । ସବୁ ଧର୍ମର ଉପାସନାସ୍ଥଳୀ ବା ଧାର୍ମିକ ପୀଠର ବିକାଶ ପାଇଁ ପାଣ୍ଠି ଖର୍ଚ ହେବ । ଧାର୍ମିକ ସ୍ଥଳ ପାଖରେ ଶୌଚାଳୟ ଓ ପିଇବା ପାଣି ସୁବିଧା କରାଯିବ। ପଞ୍ଚାୟତରେ ଥିବା ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ବ୍ୟବସ୍ଥା ହେବ ।
ପୂର୍ବର ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ଆରମ୍ଭ ହୋଇ ଅଟକି ଯାଇଥିବା ପ୍ରକଳ୍ପଗୁଡ଼ିକରେ ଯେଉଁଥିରେ ସର୍ବନିମ୍ନ ୨୦ ପ୍ରତିଶତ ଟଙ୍କା ବ୍ୟୟ କରାଯାଇକି ତାହା ଏହି ଯୋଜନା ଅଧିନରେ ସମ୍ପୂର୍ଣ୍ଣ କରାଯିବ ।
ସବୁ ପଞ୍ଚାୟତ ଗ୍ରାମସଭା ଡାକି ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା ପାଇଁ ପ୍ରକଳ୍ପ ଚୟନ କରିବେ । ଗ୍ରାମ ସଭାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରାଯିବ । ଫେବ୍ରୁଆରି ୧୪ ସୁଦ୍ଧା ଗ୍ରାମସଭାରେ ପ୍ରକଳ୍ପ ତାଲିକା ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପଞ୍ଚାୟତ ୧୫ ତାରିଖରେ ବ୍ଲକରେ ଏହି ପ୍ରକଳ୍ପ ତାଲିକା ଦାଖଲ କରିବେ । ୧୮ ତାରିଖ ସୁଦ୍ଧା ପଞ୍ଚାୟତ ସମିତିର ଟେକ୍ନିକାଲ କମିଟି ଏହାକୁ ଯାଞ୍ଚ ସରିବ । ୨୦ ତାରିଖ ସୁଦ୍ଧା ଏହାକୁ ଜିଲ୍ଲାପାଳଙ୍କ ପାଖକୁ ପଠାଯିବ । ଜିଲ୍ଲାପାଳ ପ୍ରକଳ୍ପର ଅନୁମୋଦନ ଦେବା ପରେ କାମ ଆଗେଇବ ।