ଗଜପତି: ଗରିବଙ୍କ ପାଇଁ ଉଦ୍ଧିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କାକୁ ନିଜେ ହଡ଼ପ କରିନେବା ସରପଞ୍ଚଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗରେ ସରପଞ୍ଚ ଏବଂ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲେ ଗଜପତି ଜିଲ୍ଲା ଆର. ଉଦୟଗିରୀ ବ୍ଲକ ବସ୍ତ୍ରୀଗୁଡା ପଞ୍ଚାୟତର ସରପଞ୍ଚ ଏବଂ ତାଙ୍କ ସ୍ୱାମୀ ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗଜପତି ଜିଲ୍ଲା ଆର ଉଦୟଗିରୀ ବ୍ଲକ ବସ୍ତ୍ରୀଗୁଡା ପଞ୍ଚାୟତ ସାରାଡ଼ା ସାହିର ବାସିନ୍ଦା ଜୟନ୍ତୀ ରଇତ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଥିଲେ । ଜୟନ୍ତୀଙ୍କ କାର୍ଯ୍ୟାଦେଶକୁ ସରପଞ୍ଚ ଚଞ୍ଚକତା କରି ଅଟକାଇ ରଖିଥିଲେ । କିନ୍ତୁ ଜୟନ୍ତୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି ବୋଲି କହିଥିଲେ । ସରପଞ୍ଚ ଆବାସ ବାବଦକୁ ଆସିଥିବା ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଉଠାଇ ନେଇଥିଲେ ।
ଏହା ପରେ ଜୟନ୍ତୀ ନିଜ ପ୍ରାପ୍ୟ ନେବାକୁ ସରପଞ୍ଚଙ୍କୁ ବାରମ୍ବାର ଗୁହାରୀ କରିଥିଲେ । କିନ୍ତୁ ସରପଞ୍ଚ ଟଙ୍କା ଦେବାକୁ ରୋକ୍ ଠୋକ୍ ମନା କରିଦେଇଥିଲେ । ଏହା ସହିତ ଜୀବନରୁ ସରପଞ୍ଚ ଏବଂ ତାଙ୍କ ସ୍ୱାମୀ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏ ନେଇ ଜୟନ୍ତୀ ଆର. ଉଦୟଗିରି ଥାନା ଲିଖିତ ଅଭିଯୋଗ କରିବା ସହିତ ଜନ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ଦମ୍ପତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆର ଉଦୟଗିରି ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି ।