ଦରଭଙ୍ଗା: ବିହାରର ଦରଭଙ୍ଗାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପ୍ରେମ ସମ୍ପର୍କକୁ ନେଇ ମୁମ୍ବାଇରେ ଏଠାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। କୁହାଯାଉଛି ଯେ ଯୁବକଜଣକ ଅନ୍ୟ ଧର୍ମର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ନାବାଳିକାଙ୍କ ପରିବାର ଲୋକେ ଯୁବକଙ୍କୁ ହତ୍ୟା କରିବା ସହ ମୃତଦେହକୁ ବିଭିନ୍ନ ଖଣ୍ଡ କରି ଦେଇଥିଲେ। ଦରଭଙ୍ଗା ଜିଲ୍ଲା ବେହେରା ଥାନା ଅନ୍ତର୍ଗତ କାହ୍ନୌଲି ଗ୍ରାମର ରଘୁନନ୍ଦନ ପାଶୱାନ ଓରଫ ରାଘବ ପାଶୱାନଙ୍କ ସହ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ରଘୁନନ୍ଦନଙ୍କର ପଡ଼ୋଶୀ ଗାଁ ଇବ୍ରାହିମପୁରର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ନାବାଳିକାର ପରିବାର ଲୋକେ ଏହି ସମ୍ପର୍କକୁ ବିରୋଧ କରିଥିଲେ ଏବଂ ସେମାନେ ରଘୁନନ୍ଦନଙ୍କ ବାପାଙ୍କ ନିକଟରେ ଅନେକ ଥର ଅଭିଯୋଗ କରିଥିଲେ। କିନ୍ତୁ ରଘୁନନ୍ଦନ ଝିଅକୁ ଭେଟିବା ବନ୍ଦ ନ କରିବାରୁ ନାବାଳିକାର ପରିବାର ଲୋକେ ଅସନ୍ତୁଷ୍ଟ ହୋଇ ତାଙ୍କୁ ମୁମ୍ବାଇରେ ଥିବା ତାଙ୍କ ସମ୍ପର୍କୀୟଙ୍କ ପାଖକୁ ପଠାଇ ଦେଇଥିଲେ। ତିନି ମାସ ତଳେ ରଘୁନନ୍ଦନ ମଧ୍ୟ ଦରଭଙ୍ଗାରୁ ପଳାଇ ମୁମ୍ବାଇ ଯାଇଥିଲେ।
ଅକ୍ଟୋବର ୩୧ ତାରିଖରେ ରଘୁନନ୍ଦନ ତାଙ୍କର ତିନି ଜଣ ସାଙ୍ଗ ଆଶିଷ ପାସୱାନ, ସୁମିତ ପାସୱାନ ଏବଂ ଗୋଲୁ ପାସୱାନ (ଯିଏ କି ସମସ୍ତିପୁର ଜିଲ୍ଲାର ବାସିନ୍ଦା)ଙ୍କ ସହିତ ପୁଣେରୁ ମୁମ୍ବାଇ ଅଭିମୁଖେ ବାହାରିଥିଲେ। ମୁମ୍ବାଇରେ ରଘୁନନ୍ଦନ ଓ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝିଅର ପରିବାର ଲୋକଙ୍କ ସହ ଝଗଡ଼ା ହୋଇଥିଲା। ରଘୁନନ୍ଦନଙ୍କ ସାଙ୍ଗମାନେ ତାଙ୍କୁ ଝିଅର ପରିବାର ଲୋକଙ୍କୁ ହସ୍ତାନ୍ତର କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ନାବାଳିକାଙ୍କ ପରିବାର ଲୋକେ ରଘୁନନ୍ଦନଙ୍କ ମୃତଦେହକୁ ସାତ ଖଣ୍ଡ କରି ଏକ ବସ୍ତାରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲେ। ମୃତଦେହ ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ। ରଘୁନନ୍ଦନଙ୍କ ହାତରେ ଥିବା ଏକ ଟାଟୁ ଦ୍ୱାରା ତାଙ୍କୁ ଚିହ୍ନଟ କରାଯାଇଥିଲା। ରଘୁନନ୍ଦନଙ୍କ ମା' ଅଞ୍ଜୁ ଦେବୀ କହିଛନ୍ତି ଯେ ରଘୁନନ୍ଦନ ତାଙ୍କ ପାଞ୍ଚ ସନ୍ତାନଙ୍କ ମଧ୍ୟରୁ ସବୁଠାରୁ ବଡ଼। ସେ ବେଣୀପୁରର ଏକ ମେଡ଼ିକାଲ ଦୋକାନରେ କାମ କରୁଥିଲେ। ଅଞ୍ଜୁ ଦେବୀ ଅଭିଯୋଗ କରିଛନ୍ତି ଯେ ନାବାଳିକାଙ୍କ ପରିବାରର ଦୁଇ ଜଣ ମହିଳା ଏବଂ ଚାରି ଭାଇ ମିଶି ତାଙ୍କ ପୁଅକୁ ହତ୍ୟା କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ତାଙ୍କ ପୁଅର ମୃତ୍ୟୁ ଖବର ପାଇଥିଲେ। ଯାହା ପରେ ତାଙ୍କ ସ୍ୱାମୀ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମୁମ୍ବାଇ ଚାଲିଯାଇଥିଲେ।