ଭୁବନେଶ୍ୱର: ଆଜି ହେଉଛି ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ୱର ଜନତା ମଇଦାନରେ ରାଜ୍ୟସ୍ତରୀୟ ଜନ ଜାତୀୟ ଗୌରବ ଦିବସ ପାଳିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆଭାସୀ ମାଧ୍ୟମରେ ଯୋଗ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ପେସା ଆଇନ ଲାଗୁ ହେବା ପୂର୍ବରୁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ରାଜ୍ୟ ସରକାର । ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ଗାଁରେ ଜନସଭା ହେବ । ପେସା ଆଇନ କିପରି କାର୍ଯ୍ୟକାରୀ ହେବ ସେ ନେଇ ବିସ୍ତୁତ ଆଲୋଚନା ହେବ ।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଜନଜାତି ସମ୍ପ୍ରଦାୟ ଓଡ଼ିଶାର ଶକ୍ତି ଓ ଆତ୍ମା । କିନ୍ତୁ ପୂର୍ବରୁ ଆଦିବାସୀଙ୍କୁ ଅବହେଳିତ କରି ରଖାଯାଇଥିଲା । ଆଦିବାସୀ ସଂସ୍କୃତିକୁ ସୁରକ୍ଷା ଦେବା ଆମ ସରକାରଙ୍କ ପ୍ରାଥମିକତା । ଏହି ଅବସରରେ ୧୫୩୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଆଦିବାସୀ ବର୍ଗଙ୍କ ବିକାଶ ଓ ସୁରକ୍ଷା ପାଇଁ ଏହି ପ୍ରକଳ୍ପ ସବୁକୁ ଉତ୍ସର୍ଗୀକୃତ କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ଗୋଠପାଟଣା ଠାରେ ଜନଜାତି ଐତିହ ଓ ସ୍ୱାଭିମାନ ଭବନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ. ସେହିପରି ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ସହ ରାଜ୍ୟରେ ୪୨୬ ଗୋଟି ଆବାସିକ ବିଦ୍ୟାଳୟର ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଅନ୍ୟପକ୍ଷରେ ଜଙ୍ଗଲ ଅଧିକାର ସ୍ୱୀକୃତ ଆଇନ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ଥର ପାଇଁ ଜଣେ ହିତାଧିକାରୀ ଏହି ପୋର୍ଟାଲରେ ଜମି ପଟ୍ଟା ପାଇଁ ଆବେଦନ କଲେ ପଟ୍ଟା ପାଇପାରିବେ । ଏହା ସହ ଜଙ୍ଗଲ ଆଇନ କାର୍ଯ୍ୟକାରିତାର ସ୍ଥିତି ମଧ୍ୟ ଜାଣିପାରିବେ ସରକାର ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ନିତ୍ୟାନନ୍ଦ ଗଣ୍ଡ, ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଅଛନ୍ତି ।
ବିପ୍ଳବୀ ସହିଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ୨୦୨୫ ମସିହାକୁ ଜନଜାତି ଗୌରବ ବର୍ଷ ରୂପେ ପାଳନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହି କ୍ରମରେ ଆଜିଠାରୁ ଓଡ଼ିଶାର ୨୭ଟି ଜିଲ୍ଲାର ୨୩୪ଟି ବ୍ଳକରେ ଥିବା ୨୪୦୮ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୬୬୭ଟି ଆଦିବାସୀ ବହୁଳ ରାଜସ୍ୱ ଗ୍ରାମରେ ସ୍ଵତନ୍ତ୍ର ପଲ୍ଲୀସଭା ଆୟୋଜନ କରାଯାଉଛି ।