ମାଲକାନଗିରି: କାର୍ତ୍ତିକ ପୂର୍ଣ୍ଣିମାରେ ଏକ ଅଘଟଣ ଘଟିଯାଇଛି । ବୋଇତ ବନ୍ଦାଣ ସମୟରେ ଡଙ୍ଗାରୁ ପଇସା ସଂଗ୍ରହ କରୁଥିବାବେଳେ ଜଣେ ନାବାଳିକା ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି । ମୃତ ନାବାଳିକା ଜଣକ ହେଲେ ମାଲକାନଗିରି ଜିଲ୍ଲା ସଦର ଥାନା ଅଧିନସ୍ଥ ଚମ୍ପାଗନର ଗ୍ରାମର ସାବିତ୍ରୀ ହନ୍ତାଳ (୧୨) ।
ସାବିତ୍ରୀ ସାଙ୍ଗମାନଙ୍କ ସହିତ ମିଶି ପୋଖରୀ କୂଳକୁ ଯାଇଥିଲେ । ଡଙ୍କା ଭସାବେଳେ ସେ ଅନ୍ୟ ଡଙ୍ଗାରୁ ପଇସା ସଂଗ୍ରହ କରୁଥିଲେ । ଏହି ସମୟରେ ଅସାବଧାନତା ବଶତଃ ପାଣିରେ ବୁଡ଼ି ଯାଇଥିଲେ । ଏହାକୁ ଦେଖିବା ପରେ ତାଙ୍କ ସାଙ୍ଗମାନେ ଭୟରେ ଦୌଡ଼ି ପଳାଇଯାଇଥିଲେ, କିନ୍ତୁ ତାଙ୍କ ପରିବାର ଲୋକଙ୍କୁ କିଛି ଡରରେ କହି ନ ଥିଲେ ।
ବହୁତ ସମୟ ପରେ ସାବିତ୍ରୀଙ୍କ ପରିବାର ଲୋକ ତାଙ୍କୁ ଖୋଜିବା ପରେ ସେ ମିଳି ନ ଥିଲେ । ପରେ ସାବିତ୍ରୀ ପାଣି ବୁଡି ଯାଇଥିବା ଘର ଲୋକ ଜାଣିବାକୁ ପାଇଥିଲେ । ସାବିତ୍ରୀଙ୍କୁ ବହୁ ଖୋଜା ଖୋଜି କରିବା ପରେ ପୋଖରୀରୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ତରନ୍ତ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ବର୍ଷକ ତଳେ ସ୍ୱାମୀକୁ ହରାଇବା ପରେ ଆଜି ଭଳି ଦିନରେ ଝିଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ସାବିତ୍ରୀଙ୍କ ମାଆ ।