ଆଜିଠୁ ଆରମ୍ଭ ଐତିହାସିକ କଟକ ବାଲିଯାତ୍ରା । ଆଜି ସଂଧ୍ୟାରେ ପୂର୍ବ ଭାରତର ସବୁଠୁ ବଡ ଐତିହାସିକ ବାଣିଜ୍ୟ ମେଳା ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ଏହି ମେଳାକୁ ସଂଧ୍ୟା ୫ ଟାରେ ଉଦଘାଟନ କରିବେ। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ନଭେମ୍ବର ୧୫ ରୁ ୨୨ ତାରିଖ ମଧ୍ୟରେ ହେବାକୁ ଥିବା ଏହି ବାଲିଯାତ୍ରାରେ ଏଥର ଅନେକ କିଛି ଆକର୍ଷଣୀୟ ଜିନିଷ ଦେଖିବାକୁ ମିଳିବ । ଏଥର ଏହି ମେଳାକୁ ଅନ୍ତର୍ଜାତୀୟ ରୂପ ଦେବା ପାଇଁ ୧୩ ଟି ଦେଶର ରାଷ୍ଟ୍ରଦୂତଙ୍କୁ ଅତିଥି ଭାବେ ପ୍ରଶାସନ ଆମନ୍ତ୍ରଣ କରିଛି।ସମସ୍ତେ ମହାନଦୀ ସିଲଭର ସିଟି ବୋର୍ଟ କ୍ଲବରୁ ଚାରୋଟି ସୁସଜ୍ଜିତ ବୋର୍ଟରେ ଆସି ଗଡଗଡିଆ ଘାଟରେ ଓହ୍ଲାଇବେ । ସେଠାରୁ ଉପର ଓ ତଳ ପଡିଆ ବାଲିଯାତ୍ରା ବୁଲି ଦେଖିବେ । ୮ ଦେଶର କଳାକାର ପ୍ରତିଦିନ ସଂଧ୍ୟାରେ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ନୃତ୍ୟ ଗୀତ ପରିବେଷଣ କରିବେ ।
ତେବେ ୮ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ବାଲିଯାତ୍ରାରେ ଚଳିତବର୍ଷ ଉପର ଓ ତଳ ବାଲିଯାତ୍ରା ପଡିଆରେ ମୋଟ ୨୫ ଶହ ଛୋଟ ବଡ ଷ୍ଟଲ ହେଉଛି । ଯେଉଁଥିରେ ପାଖାପାଖି ୬୦ ରୁ ୭୦ ଲକ୍ଷ ପର୍ଯ୍ୟଟକ କିଣାବିକାର ଆସର ସାଙ୍ଗକୁ ବୁଲାବୁଲି ଓ ସୁସ୍ୱାଦୁ ଖାଦ୍ୟର ମଜା ନେବେ । ଖାଲି ସେତିକି ନୁହେଁ ବିଭିନ୍ନ ପ୍ରକାର ଦୋଳି ଖେଳିବା ସହ କାଳ୍ପନିକ ଦୁନିଆ ବୁଲିବେ ପର୍ଯ୍ୟଟକ । ଏହାସହ ଚଳିତବର୍ଷ ନଦୀକୂଳରେ ଲେଜର ସୋ, ଡ୍ରୋନ ସୋ, ୱାଟର ସ୍ପୋର୍ଟସ, କାଇଟ ଫେଷ୍ଟିଭାଲ ହେବ । ଏହି ଡ୍ରୋନ ସୋ ରେ ୪୦୦ ଡ୍ରୋନ ଭାଗ ନେବେ । ଆଉ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ୭୦ ପ୍ଲାଟୁନ ଫୋର୍ସ ଉଭୟ ପଡିଆ ଓ ଟ୍ରାଫିକ ପୋଷ୍ଟରେ ନିୟୋଜିତ ହେବେ ।