ଭୁବନେଶ୍ବର: ଧର୍ମର ପର୍ବ ‘ପଞ୍ଚୁକ ସରିଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀ ଆଜି ଶ୍ରଦ୍ଧାର ଡଙ୍ଗା ଭସାଇଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ଡଙ୍ଗା ଭସାଇବା ପାଇଁ ଲୋକଙ୍କ ମନରେ ଉତ୍ସାହ ଦେଖାଯାଇଛି। ସେଥି ପାଇଁ ଶ୍ରଦ୍ଧାଳୁମାନେ ଭୋର୍ରୁ ବିଳମ୍ବିତ ସକାଳ ଯାଏଁ ଜଳାଶୟରେ ଶ୍ରଦ୍ଧାର ଡଙ୍ଗା ଭସାଇଛନ୍ତି। ଶ୍ରଦ୍ଧାଳୁମାନେ ଘର ନିକଟସ୍ଥ ପୋଖରୀ, ନାଳ, ନଦୀ ଓ ଅନ୍ୟ ଜଳାଶୟରେ କାଗଜ, ସୋଲ ଓ କଦଳୀ ପାଟୁଆ ପ୍ରସ୍ତୁତ ଡଙ୍ଗା ଭସାଇଛନ୍ତି। ଓଡ଼ିଆ ସଂସ୍କୃତିର ବଡ଼ ସ୍ମାରକୀ ‘ବୋଇତ ବନ୍ଦାଣ’ ଉପରେ ଆଧାରିତ କାଳ୍ପନିକ ଡଙ୍ଗାକୁ ମଧ୍ୟ ଅନେକ ସ୍ଥାନରେ ଭସାଯାଇଥିବା ଦୃଷ୍ଟିଗୋଚର ହୋଇଛି। ଏତଦ୍ ବ୍ୟତୀତ ଅନେକ ଅନୁଷ୍ଠାନ ପକ୍ଷରୁ ମଧ୍ୟ କୃତ୍ରିମ ଜଳାଶୟ ପ୍ରସ୍ତୁତ କରାଯାଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି। ଶ୍ରଦ୍ଧାଳୁମାନେ ଭୋର ୩ଟାରୁ ଉଠି ଶୁଦ୍ଧ ସ୍ନାନ ସାରି ଜଳାଶୟକୁ ପହଞ୍ଚି ଥିଲେ।
ଅନେକ ସ୍ଥାନରେ ଲୋକେ ମଧ୍ୟରାତ୍ରିରୁ ଡଙ୍ଗା ଭସାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଏପରିକି ଲୋକେ ରାତି ୨ଟାରୁ ଉଠି ସ୍ନାନାଦି ଶେଷ କରି ଘର ଆଗରେ, ଚଉରାମୂଳେ ମୁରୁଜ ପକାଇ ପୂଜାର୍ଚ୍ଚନା ସାରି ଡଙ୍ଗା ଭସାଇଥିବାର ସୂଚନା ରହିଛି। ବୋଇତ ବନ୍ଦାଣ ପାଇଁ ବିଳମ୍ବିତ ରାତିରୁ ଭୋର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ନଦୀ, କେନାଲ୍ ଓ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା। କଟକର ଗଡ଼ଗଡ଼ିଆ ଘାଟ, କାଠଯୋଡ଼ି ନଦୀର ବିଭିନ୍ନ ଘାଟରେ ରାଜଧାନୀର ବିନ୍ଦୁସାର ଘାଟ ଓ କୁଆଖାଇ ନଦୀରେ ପ୍ରବଳ ଜନସମାଗମ ହୋଇଥିଲା। ଆ କା ମା ବୈ, ପାନ ଗୁଆ ଥୋଇ... କହି ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଡଙ୍ଗା ଭସାଇଛନ୍ତି।
ଧର୍ମମାସରେ ଧର୍ମ ଅର୍ଜିବା ପରେ ଭୁବନେଶ୍ବରରେ ମଧ୍ୟ ଶ୍ରଦ୍ଧାଳୁମାନେ ଆଜି କାର୍ତ୍ତିକ ମାସକୁ ବିଦାୟ ଦେଇଛନ୍ତି। ଭୋର ସମୟରୁ ସହରର କୋଣ ଅନୁକୋଣରେ ଥିବା ପୋଖରୀ ଓ ନଦୀତୁଠକୁ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ସୁଅ। କିଏ କଦଳୀ ପାଟୁକା ଡଙ୍ଗାରେ ତ କିଏ ବଜାରରେ ମିଳୁଥିବା ରଙ୍ଗବେରଙ୍ଗ କାଗଜ ଓ ସୋଲ ତିଆରି ଡଙ୍ଗା ଓ ବୋଇତ ଭସାଇଥିଲେ। ଗତକାଲି ରାତିରୁ ଆରମ୍ଭ ହୋଇଯାଇଥିଲା ପ୍ରସ୍ତୁତି। ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ ହେଉ ଅବା ଧର୍ମ ଅର୍ଜିବା ପାଇଁ, ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖା ଯାଇଥିଲା। ନୂଆପଈଢ଼ିର ପିଲାଙ୍କୁ ଏ ଓଡ଼ିଆ ପରଂପରା ଶିଖାଇବାଲାଗି ଅନେକ ସଂସ୍କୃତିପ୍ରେମୀ ବାପା ମାଆମାନେ ବି ଲାଗି ପଡ଼ିଥିଲେ। ଆଲୋକମାଳାରେ ଝଲସୁଥିଲା ତୁଠ, ମଠ ଓ ମନ୍ଦିର। ରାଜଧାନୀକୁ ପାଶ୍ଚାତ୍ୟ ଆଧୁନିକତା କବଳିତ କରିଥ ସାରିଛି ବୋଲି ସମାଲୋଚନା ହେଉଥିବାବେଳେ ଲୋକେ ଯେ ଉତ୍କଳୀୟ ପରମ୍ପରାକୁ ଭୁଲି ନାହାନ୍ତି, ତାହାର ଉଦାହରଣ ଥିଲା ଆଜି ପୁଷ୍କରିଣୀ ନିକଟର ଗହଳଚହଳ।