ପାରାଦୀପ: ଆ-ମା-କା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର । ପବିତ୍ର କାର୍ତ୍ତିକ ମାସର ଆଜି ହେଉଛି ଶେଷ ଦିନ । ପୂର୍ଣ୍ଣିମାରେ ସକାଳୁ ସକାଳୁ ପ୍ରତ୍ୟେକ ଓଡିଆ ସ୍ନାନ ସାରି କଦଳୀ ବାସୁଙ୍ଗାର ଡଙ୍ଗା ତିଆରି କରି ଜଳାଶୟରେ ଭସାଇଛନ୍ତି । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ସ୍ଥାନରେ ପାଳିତ ହେଉଛି ବୋଇତ ବନ୍ଦାଣ ଉତ୍ସବ । କୁନି କୁନି ବାଳିକାମାନେ ସାଧବାଣୀ ବେଶରେ ବୋଇତରେ ବଣିଜ ପାଇଁ ବାହାରିଥିବା ସାଧବ ପୁଅଙ୍କୁ ବନ୍ଦାପନା କରି ବିଦାୟ ଦେଇଛନ୍ତି । ବନ୍ଦର ନଗରୀ ପାରାଦୀପ, ମହାନଦୀ ପଠା, କେନ୍ଦ୍ରାପଡ଼ାର ବ୍ରାହ୍ମଣୀ ନଦୀମାନଙ୍କରେ ଧୁମାଧାମରେ ପାଳିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ ।
ଦିନେ ସାଧବ ପୁଅମାନେ ବୋଇତରେ ଜିନିଷ ନେଇ ସାତ ଦରିଆ ତେର ନଈ ପାରି ହୋଇ ସୁଦୂର ଯାଉଥିଲେ ବଣିଜ କରିବାକୁ । ଜାଭା ଠୁ ବାଲି ସୁମାତ୍ରାରୁ ଏବେ କାର ଇଣ୍ଡୋନେସିଆରେ ବେପାର ବଣିଜ କରୁଥିଲେ ଓଡିଆ ସାଧବ ପୁଅ । ରେଶମୀ ପାଟ ସୁଗନ୍ଧ ଦ୍ରବ୍ୟ କାରିଗରୀ ଶିଳ୍ପ ଭଳି କାହିଁ କେତେ କଣ ଜିନିଷ ଧରି ବୋଇତ ନେଇ ସାଧବ ପୁଅ ଯାଉଥିଲେ ଅନେକ ଦୂର । ଆଉ ସାଧବ ବୋହୂମାନେ ମଙ୍ଗ କଣରେ ମାଆ ମଙ୍ଗଳାଙ୍କୁ ବନ୍ଦାପନା କରିବା ସହିତ ସାଧବ ପୁଅଙ୍କୁ ଦେଉଥିଲେ ମେଲାଣି । ସେତେବେଳେ ସମୟରେ ପାଲଟଣା ବୋଇତ ଉତ୍ତରା ପବନରେ ଆଗକୁ ବଢ଼ିଚାଲେ । ଆଉ ବଣିଜ ଶେଷ ହେଲେ ଆଷାଢ଼ ଆରମ୍ଭ ପଶ୍ଚିମା ପବନରେ କୁଳ ଫେରନ୍ତା ହୁଅନ୍ତି ।
ଏହି ନିଆରା ପରମ୍ପରା ଆଜିବି ବନ୍ଦର ନଗରୀ ପାରାଦ୍ଵୀପରେ ଦେଖିବାକୁ ମିଳେ । ପାରଦୀପ ବନ୍ଦରରେ ବୋଟକୁ ସାଜ ସଜା କରାଯିବା ସହିତ ବନ୍ଦର ଦିବସ ପାଳନ କରାଯାଉଛି । କୁନି କୁନି ପିଲାମାନ ସାଧବ ସାଧବାଣୀ ବେଶରେ ସଜେଇ ହୋଇଛନ୍ତି । ବୋଇତ ବନ୍ଦାଣ ଦେଖିବାକୁ ନାହିଁ ନ ଥିବା ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ।