ରାୟଗଡ଼ା: ରୋଷେଇ କରୁଥିବାବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇ ୩ ଜଣ ଗୁରୁତର ହୋଇପଡ଼ିଛନ୍ତି । ଏଭଳି ଏକ ଅଘଟଣ ଘଟିଛି ରାୟଗଡ଼ା ରାଣୀଗୁଡ଼ା ସ୍ଥିତ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଗ୍ୟାସ ଗୋଦାମ ନିକଟରେ । ଗୁରୁତରମାନେ ହେଲେ ୦୯ ନମ୍ବର ୱାର୍ଡର ଦାସରୀ ଶିବା, ଧର୍ମା ମିଣିଆକା ଓ ଦିନୁ ମିଣିଆକା । ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଦାସରି ଶିବା, ଧର୍ମା ମିଣିଆକା ଓ ଦିନୁ ମିଣିଆକା ଆୟାପା କୁମାର ସ୍ୱାମୀଙ୍କ ଭକ୍ତ ଅଟନ୍ତି । ଦାସରି ଶିବା ଘରର ମାଲିକ ହୋଇଥିବାବେଳେ ସେ ବଢ଼େଇ କାମ କରୁଥିଲେ । ଅନ୍ୟ ଦୁଇ ଜଣ ଖଲାସୀ ଅଟନ୍ତି । ସେମାନେ ଆୟାପା କୁମାର ସ୍ୱାମୀଙ୍କ ଭକ୍ତ ହୋଇଥିବାରୁ ଘରର ତୃତୀୟ ମହଲାରେ ଅଲଗା ପୂଜା ପାଠ କରୁଥିଲେ । ଦାସରି ଶିବା ଆଜି ଭୋର ପ୍ରାୟ ୩ ଘଣ୍ଟା ୪୫ମିନିଟ ସମୟରେ ପୂଜା ପାଠ ଶେଷ କରିବା ପରେ ଅନ୍ୟମାନଙ୍କୁ ଉଠାଇବାକୁ ଯାଇଥିଲେ । ପୂର୍ବରୁ ଗ୍ୟାସ ଲିକ୍ ହୋଇ ଦୁର୍ଗନ୍ଧ ହେଉଥିଲା । ଏହି ସମୟରେ ସେ ଲାଇଟ୍ ସୁଇଚ୍ ଅନ୍ କରିବା କ୍ଷଣି ହଠାତ୍ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ଏବଂ ଘରେ ନିଆଁ ଲାଗିଯାଇଥିଲା । ଫଳରେ ଘରେ ଭିତରେ ଥିବା ତିନି ଜଣ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି ।
ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୟୁନିଟ୍ ସୁବିଧା ନଥିବା ଯୋଗୁଁ ଉତ୍ତମ ଚିକିତ୍ସା ନିମନ୍ତେ ପ୍ରଥମେ ଶିବାଙ୍କୁ ବିଶାଖାପାଟଣା ଓ ଅନ୍ୟ ଦୁଇ ଜଣଙ୍କୁ ବ୍ରହ୍ମପୁର ଏମକେସିଜିକୁ ପୃଥକ୍ ପୃଥକ୍ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଛି ।
ଅନ୍ୟପକ୍ଷରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ତଳେ ପାର୍କିଂ ହୋଇଥିବା କାର୍ ଉପରେ କିଛି ସାମଗ୍ରୀ ପଡ଼ିବା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ଘରେ ମଧ୍ୟ ଅନେକ ସାମଗ୍ରୀ ପୋଡ଼ି ହୋଇ ଯାଇଛି । ତେବେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।