ହାଇଦ୍ରାବାଦ୍: ପ୍ରସିଦ୍ଧ ପଂଜାବୀ ଗାୟକ ଦିଲଜୀତ୍ ଦୋସାଞ୍ଝ, ନିଜର ନିଆରା ଅନ୍ଦାଜ ଓ ସଙ୍ଗୀତ ପରିବେଷଣ ପାଇଁ ସାରା ବିଶ୍ୱରେ ଏକ ଲୋକପ୍ରିୟ ସଙ୍ଗୀତକାର ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର ତାଙ୍କର ଭାରତରେ ଆୟୋଜିତ ହେଉଥିବା ମ୍ୟୁଜିକ କନସର୍ଟ ଗୁଡିକ ଖୁବ ବିବାଦୀୟ ହୋଇପଡିଛି। ଏହି କ୍ରମରେ ୧୫ ନଭେମ୍ବରରେ ହାଇଦ୍ରାବାଦ୍ ଠାରେ ଦିଲଜୀତ୍ ଦୋସାଞ୍ଝଙ୍କର ମ୍ୟୁଜିକ କନସର୍ଟ ଆୟୋଜିତ ହେବାକୁ ଯାଉଛି। ମାତ୍ର ଏହା ପୂର୍ବରୁ ତେଲେଙ୍ଗାନା ସରକାରଙ୍କ ତରଫରୁ କାର୍ଯ୍ୟକ୍ରମର ଅୟୋଜକଙ୍କୁ ଏକ ନୋଟିସ ଦିଆଯାଇଛି। ଏହି ନୋଟିସ ମାଧ୍ୟମରେ ସରକାର ଅୟୋଜକଙ୍କୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ସୂଚିତ କରିଛନ୍ତି।
ଦିଲଜୀତ୍ଙ୍କ ପଞ୍ଜାବୀ ସଙ୍ଗୀତ ଗୁଡିକରେ ମୁଖ୍ୟତଃ ମଦ୍ୟ ଭଳି ମାଦକ ଦ୍ରବ୍ୟ ସହିତ ବେଲଗାମ ପାର୍ଟି କରିବା ଭଳି ବିଷୟବସ୍ତୁ ରହିଥାଏ। ଏହି ସବୁ ସଙ୍ଗୀତର କୁପ୍ରଭାବ ଯୁବବର୍ଗଙ୍କ ଉପରେ ଦେଖିବାକୁ ମିଳିଥାଏ। ଏହା ସହ ଦିଲଜୀତ୍ଙ୍କ ପ୍ରଶଂସକଙ୍କ ସଂଖ୍ୟା ଖୁବ ଅଧିକ ଓ ସେମାନେ ତାଙ୍କ ଦ୍ୱାରା ବହୁଳ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି। ସେଥିପାଇଁ ଦିଲଜୀତ୍ଙ୍କୁ ମଦ୍ୟପାନକୁ ପ୍ରୋତ୍ସାହିତ କରୁଥିବା ସଙ୍ଗୀତକୁ ପରିବେଷଣ କରିବାରୁ ବାରଣ କରିଛନ୍ତି ତେଲେଙ୍ଗାନା ସରକାର।
ତେଲେଙ୍ଗାନା ସରକାରଙ୍କ ନୋଟିସ ଅନୁଯାୟୀ ଦିଲଜୀତ୍ ଡ୍ରଗ୍ସ ତଥା ମଦ୍ୟପାନ ଭଳି ମାଦକ ଦ୍ରବ୍ୟର ସେବନକୁ ପ୍ରୋତ୍ସାହିତ କରୁଥିବା ସଙ୍ଗୀତ ମଞ୍ଚ ଉପରେ ପରିବେଷଣ କରିପାରିବେ ନାହିଁ। ଏହା ସହିତ ଏହି କନସର୍ଟରେ ଛୋଟ ଛୁଆ ମନକୁ ମଧ୍ୟ ଷ୍ଟେଜ ଉପରକୁ ନେବାପାଇଁ ବାରଣ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନ ଅନୁଯାୟୀ ଅତ୍ୟାଧିକ ଡେସିବଲ ଯୁକ୍ତ ଶବ୍ଦରୁ ଛୋଟ ଛୁଆଙ୍କୁ କ୍ଷତି ପହଞ୍ଚିଥାଏ। ଏହି ସବୁ କାରଣକୁ ନେଇ ତେଲେଙ୍ଗାନା ସରକାରଙ୍କ ତରଫରୁ କାର୍ଯ୍ୟକ୍ରମର ଅୟୋଜକଙ୍କୁ ନୋଟିସ ଦିଆଯାଇଛି।
ସୂଚନାଯୋଗ୍ୟ ଦିଲ୍ଲୀରେ ଜବାହାରଲାଲ ନେହେରୁ ଷ୍ଟାଡିଅମରେ ଦିଲଜୀତ୍ଙ୍କ କନସର୍ଟ ଆୟୋଜିତ ହୋଇଥିଲା। ମାତ୍ର ସେଠାରେ ଆୟୋଜନ ପରବର୍ତୀ କାର୍ଯ୍ୟରେ ଅବହେଳା ଯୋଗୁଁ ପାଣି ଓ ମଦ ବୋତଲ ଭଳି ବିଭିନ୍ନ ଆବର୍ଜନା ଏଣେ ତେଣେ ପଡିଥିବା ନେଇ ବହୁ ସମାଲୋଚନା ଦେଖା ଦେଇଥିଲା।