ସମ୍ବଲପୁର: ଶନିବାର ବିଳମ୍ବିତ ରାତି ପ୍ରାୟ ଗୋଟେ ସମୟରେ ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଆ. କଣ୍ଟାପାଲିରେ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।ମୃତକ ମାନେ ହେଲେ ସମ୍ବଲପୁର ଜିଲ୍ଲାର ବିଜେପି ଗୋଶାଲା ମଣ୍ଡଳ ସଭାପତି ଦେବେନ୍ଦ୍ର ନାଏକ ଓ ଧନକଉଡ଼ା ବ୍ଲକ୍ ର ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ମୂରଳୀଧର ଛୁରିଆ। ଦେବେନ୍ଦ୍ର ଓ ମୁରଲୀ ଆଉ ଦୁଇ ଜଣ ବ୍ୟକ୍ତିଙ୍କ ସହ ଭୁବନେଶ୍ୱରରୁ ଟ୍ରେନ ଯୋଗେ ସମ୍ବଲପୁର ଫେରୁଥିଲେ ଓ ଏହାପରେ ରେଳ ଷ୍ଟେସନରୁ କାର ଯୋଗେ ଚିପଲିମା ସ୍ଥିତ ନିଜ ବାସଭବନକୁ ଯାଉଥିଲେ।ତେବେ ଆ. କଣ୍ଟାପାଲି ଅଞ୍ଚଳରେ ତାଙ୍କ କାରକୁ ପଛ ପଟୁ ଏକ ହାଇୱା ଧକ୍କା ଦେଇଥିଲା। ଯାହା ଫଳରେ କାରଟି ଜାତୀୟ ରାଜପଥରୁ ତଳକୁ ଖସି ପଡିଥିଲା। ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାରରେ ଥିବା ଅନ୍ୟ ଦୁଇ ଜଣଙ୍କୁ ବୁର୍ଲା ଭୀମସାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ହାଇୱା ଚାଳକକୁ ପୋଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି।