ଭୁବନେଶ୍ୱର: ଦୂର ହେଳା ମାତୃତ୍ୱ ଛୁଟିକୁ ନେଇ ଉପୁଜିଥିବା ଦ୍ୱନ୍ଦ । ଜଣେ ମହିଳା କର୍ମଚାରୀ କେବେ ଠୁ ନେବ ମାତୃତ୍ୱ ଛୁଟି ଏନେଇ ଦୀର୍ଘଦିନରୁ ଦ୍ୱନ୍ଦ ଲାଗି ରହିଥିବା ବେଳେ ଏବେ ସରକାର ତାହା ଦୂର କରିଛନ୍ତି । ବୁଧବାର ୧୮୦ ଦିନର ଛୁଟି ପାଇଁ ସ୍ତିରୀକୃତ ହୋଇଛି ନୂଆ ନିୟମ । ସମ୍ଭାବ୍ୟ ପ୍ରସବ ତାରିଖର ୩ ମାସ ପୂର୍ବରୁ, ପ୍ରସବ ତାରିଖର ଛଅ ମାସ ମଧ୍ୟରେ ୧୮୦ ଦିନର ମାତୃତ୍ଵ ଛୁଟି ମିଳିବ ।
ମାତୃତ୍ଵ ଛୁଟି ଏକକାଳୀନ ନିରବଚ୍ଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ନିଆଯାଇପାରିବ । ପ୍ରସବ ଯେକୌଣସି ସ୍ଵୀକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ । ଏହା ସହିତ, ଜଣେ ମହିଳା ସରକାରୀ କର୍ମଚାରୀ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନ ଥାଇ, ପରବର୍ତ୍ତୀ ସମୟରେ ସେବାରେ ଯୋଗ ଦେବା ପରେ, ମାତୃତ୍ୱ ଛୁଟି ଉପଲବ୍ଧ କରିବା ଉପରେ ମଧ୍ୟ ଦ୍ୱନ୍ଦ ଥିଲା । ସେ ସମସ୍ୟା ମଧ୍ୟ ଦୂର କରାଯାଇଛି । ଏହା ସହିତ ଗର୍ଭପାତ, ଜନ୍ମିତ ଶିଶୁର ମୃତ୍ୟୁ ଓ ମୃତ ଶିଶୁ ଜନ୍ମ କ୍ଷେତ୍ରରେ ମଧ୍ୟ ଛୁଟି ନେବାର ନିର୍ଦ୍ଦିଷ୍ଟ ନିୟମ କରାଯାଇଛି।
ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ କ୍ଷେତ୍ରରେ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି । ଯଦି ମାତୃତ୍ଵ ଛୁଟି ସମୟରେ ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ଉଚ୍ଚ ପଦବୀକୁ ପଦୋନ୍ନତି ଦିଆଯାଏ, ତେବେ ତାଙ୍କର ସେହି ଉଚ୍ଚ ପଦବୀରେ ଯୋଗଦାନ ରିପୋର୍ଟ ଯେଉଁଦିନ ଉପଯୁକ୍ତ କର୍ତ୍ତୃପକ୍ଷ ପାଇବେ ସେହିଦିନ ସେ ସେହି ଯୋଗ ଦେଲେ ବୋଲି ଧରାଯିବ। ସେ ତାଙ୍କର ମାତୃତ୍ଵ ଛୁଟିର ଅବଶିଷ୍ଟ ଅବଧି ନିରବଚ୍ଛିନ୍ନ ଭାବେ ନେଇପାରିବେ । ନୂତନ ନିଷ୍ପତ୍ତି ଅନୁଯାୟୀ, ସମ୍ଭାବ୍ୟ ପ୍ରସବ ତାରିଖର (Expected Delivery Date) ତିନି ମାସ ପୂର୍ବରୁ ଏବଂ ପ୍ରସବ ତାରିଖର ୬ ମାସ ମଧ୍ୟରେ, ଜଣେ ମହିଳା ସରକାରୀ କର୍ମଚାରୀ ୧୮୦ ଦିନର ମାତୃତ୍ୱ ଛୁଟି ନେଇପାରିବେ ।