ଭୁବନେଶ୍ୱର: ସାରା ବିଶ୍ୱରେ ରହିଛି ଚା’ର ଚାହିଦା, ହେଲେ ଆମ ଭାରତୀୟଙ୍କ ସକାଳ ଚା’ ବିନା ଅଧୁରା । ସକାଳ ହେବା ମାତ୍ରେ ଲୋଡ଼ା ହୁଏ କପେ ଗରମ ଚା’ । ସେ ଗାଁ ହେଉ ଅବା ସହର, ଛକ ବଜାରର ଦୋକାନ ହେଉ ଅବା ରେଷ୍ଟୁରାଣ୍ଟ୍,ସବୁଠି ସବୁ ସ୍ଥାନରେ..ଚା’ର ଚାହିଦା ଦେଖିବାକୁ ମିଳେ । ମନର କ୍ଲାନ୍ତିକୁ ଦୂର କରି ଦେହ ଫୂର୍ତ୍ତି କରିବା ହେଉ ଅବା ପରିବାର ସହ ମିଶି କିଛି ସମୟ କଟାଇବା ପାଇଁ ହେଉ, ଏସବୁ କ୍ଷେତ୍ରରେ ଚା’ ହିଁ ହେଉଛି ସବୁଠାରୁ ପ୍ରିୟ ପାନୀୟ। ଏପରିକି ଏହା ବିଶ୍ବର ଅଧିକାଂଶ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟି ସାରିଛି। ଦିନକୁ ଦିନ ଏହାର ଲୋକପ୍ରିୟତା ବି ବଢ଼ିବାରେ ଲାଗିଛି । କିଛି ଲୋକମାନଙ୍କର ସକାଳ ଆଉ ସଞ୍ଜରେ ଚା’ ଏକ ନିଶା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଜାଣନ୍ତି କି, ପାଣି ପରେ ଚା’ ହିଁ ବିଶ୍ବର ସବୁଠାରୁ ଅଧିକ ବ୍ୟବହାର ହେଉଥିବା ପାନୀୟ!
ଯେତେବେଳେ ଚା’ର କଥା ଆସେ, ପ୍ରଥମେ ମନେ ପଡ଼େ କ୍ଷୀରରେ ପ୍ରସ୍ତୁତ କଡ଼ା ଚା’। କିନ୍ତୁ, ଚା' କେବଳ ସ୍ୱାଦ ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପିଇପାରିବେ ଏବଂ କ୍ଷୀର ଚା' ବ୍ୟତୀତ, ଏପରି ଅନେକ ଚା' ଅଛି ଯାହା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଚା'ର ଏହି ଲୋକପ୍ରିୟତାକୁ ଦେଖି ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ ହିଁ ପ୍ରଥମେ ‘ଅନ୍ତର୍ଜାତୀୟ ଚା’ ଦିବସ’ ପାଳନର ନିଷ୍ପତ୍ତି ନେଇଥିଲା । ତେବେ ଚଳିତ ବର୍ଷର ‘ଅନ୍ତର୍ଜାତୀୟ ଚା’ ଦିବସ’ର ଥିମ୍ ରହିଛି ‘ ଟି ଫର୍ ବେଟର୍ ଲାଇଫ୍ ’ ।
ପ୍ରଥମେ ୨୦୦୫ରେ ଡିସେମ୍ବର ୧୫ ତାରିଖରେ ‘ଅନ୍ତର୍ଜାତୀୟ ଚା’ ଦିବସ’ ପାଳନ କରାଯାଇଥିଲା । କିନ୍ତୁ ମେ’ ୨୧କୁ ‘ଅନ୍ତର୍ଜାତୀୟ ଚା’ ଦିବସ’ ଭାବେ ପାଳନ କରାଯାଉ ବୋଲି ଭାରତ ଜାତିସଂଘରେ ପ୍ରସ୍ତାବ ରଖିଥିଲା । ୨୦୧୯ ମସିହାର ମେ’ ୨୧ ତାରିଖରେ ପାଳନ କରିବା ପାଇଁ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନର ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କାରଣ ମେ’ ମାସରେ ବିଶ୍ୱର ଅଧିକାଂଶ ଦେଶରେ ଚା’ ଅମଳ କରାଯାଏ । ଭାରତ ସମେତ ଶ୍ରୀଲଙ୍କା, ଚୀନ୍ ଜାପାନ୍, ଇଣ୍ଡୋନେସିଆ, ନେପାଳ ,ବାଂଲାଦେଶ ପ୍ରମୁଖ ଦେଶ କୋଟି କୋଟି ଟଙ୍କାର ଚା’ ବ୍ୟବସାୟ କରିଥାନ୍ତି । ଭାରତର ଆସାମ ଓ ଦାର୍ଜିଲିଙ୍ଗର ଚା’ ସାରା ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି । ଭାରତ ଏବେ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଚା’ ଉତ୍ପାଦନକାରୀ ଦେଶ । ଚା’ ଶ୍ରମିକଙ୍କ ଲାଗି ନିରାପଦ ପରିବେଶ ସୃଷ୍ଟି କରିବା ସହ ଚା’ ଉତ୍ପାଦନରେ ସୁଧାର ଆଣିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ବର୍ତ୍ତମାନ ସମୟରେ ଲୋକମାନେ ସ୍ୱାସ୍ଥ୍ୟ ସଚେତନତା ଦୃଷ୍ଟିରୁ ବିଭିନ୍ନ ପ୍ରକାରର ଚା’ ପିଉଛନ୍ତି ।