ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରର ସୁଶାନ୍ତ ନାୟକ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ମାମଲାରେ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି ବନ୍ଦନା କର । ଅଭିଯୁକ୍ତମାନେ ହେଲେ ଅଜିତ ନାୟକ, ସୁଜିତ ନାୟକ, ବିଶାଲ ନାୟକ, ସୁବାଷ ନାୟକ ଓ ଟିକିଲି ନାୟକ । ଏହି ସହିତ ପ୍ରତ୍ୟେକଙ୍କୁ ୨୫ ହଜାର ଲେଖାଏଁ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଅନାଦେୟ କଲେ ଅତିରିକ୍ତ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି । କୋର୍ଟ ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀ ସୁକାନ୍ତ ନାୟକ ଏବଂ ରାଧା ନାୟକଙ୍କ ସହିତ ମୋଟ ୧୮ ଜଣଙ୍କ ସାକ୍ଷ୍ୟ, ୨୯ଟି ଡକ୍ୟୁମେଣ୍ଟ ଓ ପ୍ରମାଣ ଆଧାରରେ ଉପରୋକ୍ତ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, କ୍ୟାପିଟାଲ ଥାନା ଅଧୀନ ଜିଇଡି ବସ୍ତିରେ ସୁଶାନ୍ତ ନାୟକ ଓ ଅଭିଯୁକ୍ତମାନେ ପାଖାପାଖି ବସ୍ତିରେ ରହୁଥିଲେ । ସୁଶାନ୍ତଙ୍କ ଏକ ସମ୍ପର୍କୀୟଙ୍କ ନାବାଳିକା ଝିଅକୁ ଦୁର୍ବ୍ୟବହାର ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ୨୦୨୩, ଏପ୍ରିଲ ୨୬ ତାରିଖରେ ସୁଶାନ୍ତ ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଦୁଇ ପକ୍ଷଙ୍କ ମଧ୍ୟରେ ଶତ୍ରୁତା ବଢ଼ିଯାଇଥିଲା ।
୨୦୨୩, ମେ ୨୪ ତାରିଖରେ ସୁଶାନ୍ତ ନାୟକ ପତ୍ନୀ ସରସ୍ୱତୀଙ୍କୁ ତାଙ୍କ କାର୍ୟ୍ୟାଳୟରେ ଛାଡ଼ି ଫେରୁଥିବାବେଳେ ଅଜିତ ନାୟକ, ସୁଜିତ ନାୟକ, ବିଶାଲ ନାୟକ, ସୁବାଷ ନାୟକ ଓ ଟିକିଲି ନାୟକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଖଣ୍ଡା ଭୂଜାଲୀ ସାହାଯ୍ୟରେ ତାଙ୍କୁ ହତ୍ୟା କରିଥିଲେ । ସୁଶାନ୍ତଙ୍କ ବଡ଼ ଭାଇ ସୁକାନ୍ତ ନାୟକ ଓ ଭାଉଜ ରାଧା ନାୟକ ଏହାର ପ୍ରତ୍ୟକ୍ଷଦର୍ଶୀ ଥିଲେ । ଏ ନେଇ ସୁଶାନ୍ତଙ୍କ ପତ୍ନୀ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । କମିଶନରେଟ୍ ପୋଲିସ ଘଟଣାର ୧୫ ଦିନ ପରେ ଦାରିଙ୍ଗିବାଡ଼ିର ଅଜିତ ନାୟକ, ସୁଜିତ ନାୟକ ଓ ଟିକିଲି ନାୟକଙ୍କୁ କନ୍ଧମାଳର ଦାରିଙ୍ଗିବାଡ଼ି ଅଞ୍ଚଳରୁ ଗିରଫ କରିଥିଲା । ଏହା ପୂର୍ବରୁ ଜଣେ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରିଥିଲା ।