ନୂଆଦିଲ୍ଲୀ: ଚୀନର ଭିଡିଓ ଆପ୍ ଟିକଟକ୍ ପୁଣି ଥରେ ଭାରତକୁ ଫେରିବାକୁ ଯାଉଛି। ୫ ବର୍ଷ ପୂର୍ବେ ଭାରତରେ ଏହି ଆପକୁ ପ୍ରତିବନ୍ଧିତ କରାଯାଇଥିଲାୱ। କିଛି ବ୍ୟବହାରକାରୀ କହିଛନ୍ତି ଟିକଟକରେ ୱେବସାଇଟ୍ ଆକ୍ସେସ୍ କରିପାରିଛନ୍ତି, ଯାହା ପରେ ସୋସିଆଲ ମିଡିଆରେ ଭାରତକୁ ଏହାର ପ୍ରତ୍ୟାବର୍ତ୍ତନ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ତଥାପି ଟିକଟକ୍ ଆପ୍ Google Play Store ଏବଂ Apple App Store ରେ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ, ଏବଂ ଟିକଟକର ମୂଳ କମ୍ପାନୀ ବାଇଟଡାନ୍ସ ଏପର୍ଯ୍ୟନ୍ତ ଭାରତରେ ଏହାର ପ୍ରତ୍ୟାବର୍ତ୍ତନ ସମ୍ପର୍କରେ କୌଣସି ଆନୁଷ୍ଠାନିକ ବିବୃତ୍ତି ଦେଇନାହିଁ।
କିଛି ବ୍ୟବହାରକାରୀ ଦାବି କରିଛନ୍ତି ଯେ ସେମାନେ TikTok ୱେବସାଇଟ୍ ଖୋଲିପାରିଛନ୍ତି, ଯଦିଓ ଅନେକ କହିଛନ୍ତି ଯେ ୱେବସାଇଟ୍ ଏବେ ବି ଖୋଲୁନାହିଁ। ହୋମପେଜ୍ ଖୋଲୁଥିବା ବେଳେ କୌଣସି ସବପେଜ୍ କାମ କରୁନଥିଲା। ଅନେକ ବ୍ୟବହାରକାରୀ ମଧ୍ୟ ସମାନ କଥା କହିଛନ୍ତି ଯାହା ସ୍ପଷ୍ଟ ହୋଇଛି ଯେ ୱେବସାଇଟ୍ ଏପର୍ଯ୍ୟନ୍ତ ଭାରତରେ ଏହାର ସେବା ସମ୍ପୂର୍ଣ୍ଣ ଭାବରେ ଆରମ୍ଭ କରିନାହିଁ। ତଥାପି, ୱେବସାଇଟ୍ ଆଂଶିକ ଭାବରେ ଖୋଲିବା ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।
୨୦୨୦ ଜୁନ୍ରେ, ଭାରତ ସରକାର ଟିକଟ୍ ସମେତ ୫୯ଟି ଚୀନ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏଥିରେ ShareIt, Mi ଭିଡିଓ କଲ୍, କ୍ଲବ୍ ଫ୍ୟାକ୍ଟ୍ରି ଏବଂ କ୍ୟାମ୍ ସ୍କାନର ଭଳି ଆପ୍ ମଧ୍ୟ ସାମିଲ ଥିଲା। ସରକାର ଏହି ଆପଗୁଡ଼ିକୁ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱ ପ୍ରତି ବିପଦ ଦର୍ଶାଇ ବ୍ୟାନ କରିଥିଲେ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଥିଲେ ଯେ ଏହି ଆପ୍ ଗୁଡ଼ିକ 'ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା, ପ୍ରତିରକ୍ଷା, ସୁରକ୍ଷା ଏବଂ ସାର୍ବଜନୀନ ବ୍ୟବସ୍ଥା ପ୍ରତି କ୍ଷତିକାରକ' ଗତିବିଧିରେ ଜଡିତ। ଗଲୱାନ୍ ଉପତ୍ୟକାରେ ଭାରତ ଏବଂ ଚୀନ୍ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ କେନ୍ଦ୍ର ସରକାର ଚୀନ ଆପ୍ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଥିଲେ।
ଗତ ୫ ବର୍ଷ ମଧ୍ୟରେ ପରିସ୍ଥିତି ବହୁତ ପରିବର୍ତ୍ତନ ଆସିଛି। ସୀମା ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ ମଧ୍ୟରେ ୨୪ଟି ପର୍ଯ୍ୟାୟ ଆଲୋଚନା ହୋଇଛି, ଏବଂ ସାମ୍ପ୍ରତିକ ସମୟରେ ଏହି ଆଲୋଚନାର ସକାରାତ୍ମକ ଫଳାଫଳ ମିଳିଛି। ସୀମାରେ ଉତ୍ତେଜନା ହ୍ରାସ ପାଇବା ସହ ଭାରତରୁ ଚୀନକୁ ବିମାନ ଚଳାଚଳ ମଧ୍ୟ ଘୋଷଣା କରାଯାଇଛି। ଏହା ବ୍ୟତୀତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଏବଂ ଚୀନ ଉପରେ ଟାରିଫ୍ ନୀତି ମଧ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଏହି ମାସ ଶେଷରେ ସାକ୍ଷାତ କରିବାର ସମ୍ଭାବନା ରହିଛି।
Also read- ଆଇନ୍ ହେଲା ଅନଲାଇନ୍ ଗେମିଂ ବିଲ୍; ସଂସଦରେ ପାରିତ ପରେ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ନିୟମ ଭାଙ୍ଗିଲେ ୫ ବର୍ଷ ଜେଲ୍ ଦଣ୍ଡ