ଭୁବନେଶ୍ୱର: ଏଥର ପାର୍ବଣରେ ବେଆଇନ୍ ଚାନ୍ଦା ଆଦାୟ ସମ୍ପୂର୍ଣ୍ଣ ବନ୍ଦ ହେବ । ଏଥିସହ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଜିଲ୍ଲା ଏସପିଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି (ଶୁକ୍ରବାର) ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଡିଜିପିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପାର୍ବଣ ଋତୁ ସମୟରେ ରାଜ୍ୟବାସୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ ସେ ଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଆସୁଛି ପାର୍ବଣ ଋତୁ । ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏହାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ପାର୍ବଣ ଋତୁ ସମୟରେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ଉପରେ ଗୁରୁତ୍ଵାରୋପ କରିଥିଲେ । ଯେକୌଣସି ପ୍ରକାର ଅଘଟଣ ସମ୍ପର୍କରେ ଆଗୁଆ ସୂଚନା ପାଇବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବାସହ ଏଥିପାଇଁ ତୁରନ୍ତ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ପରାମର୍ଶ ଦେଇଥିଲେ । ବିଶେଷକରି ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ତଥ୍ୟ ସଂକ୍ରାନ୍ତରେ ସଦାସର୍ବଦା ନଜର ରଖିବାକୁ କହିଛନ୍ତି । ଏଥି ନିମନ୍ତେ ଜିଲ୍ଲାଗୁଡିକରେ କାର୍ଯ୍ୟ କରୁଥିବା ସାଇବର ସେଲ ଦ୍ଵାରା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବାକୁ କହିଛନ୍ତି ।
ଏହାଛଡା ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ପାଟ୍ରୋଲିଂ, କଡାକଡି ଚେକି, ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ଲଗାଇବା, ଗୁଇନ୍ଦା ସୂଚନା ସଂଗ୍ରହ, ପୂଜା କମିଟି ସହ ଆଲୋଚନା, ବିଭିନ୍ନ ଗୋଷ୍ଠୀ ମାନଙ୍କ ସହ ବୈଠକ, ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ସହ ସୁସମ୍ପର୍କ ସ୍ଥାପନ, ଗୁଜବକାରୀଙ୍କୁ ଚିହ୍ନଟ, ପୂଜା ହେଉଥିବା ସ୍ଥାନରେ ବ୍ୟାପକ ପୋଲିସ ମୁତୟନ, ଭସାଣି ସମୟରେ ସତର୍କତା ପଦକ୍ଷେପ ଆଦି ପ୍ରସଙ୍ଗରେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଏସପି ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ।
ଅଧିକ ପଢନ୍ତୁ: ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ଆଜି ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି