ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟିକସ ଯୁଦ୍ଧ ମଧ୍ୟରେ, ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କରେ ଉନ୍ନତି ହେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ, ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଏବଂ ଚୀନ୍ ଗସ୍ତ କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୦ ମସିହାରେ ଗଲୱାନରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଚୀନ୍ ଗସ୍ତ କରୁଛନ୍ତି। ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାପାନ ଏବଂ ଚୀନ୍ ଗସ୍ତର ତାରିଖ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୨୯ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଜାପାନ ଏବଂ ଚୀନ୍ ଗସ୍ତ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୯ ତାରିଖରେ ଦୁଇ ଦିନିଆ ଜାପାନ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୨୯ ଏବଂ ୩୦ ତାରିଖରେ ଜାପାନରେ ରହିବେ ଏବଂ ଏଠାରେ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଭାବରେ ଏହା ମୋଦୀଙ୍କ ୮ମ ଜାପାନ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ସହଭାଗୀତା ଉପରେ ଆଲୋଚନା କରିବେ। ଏହା ସହିତ ଉଭୟ ନେତା ପ୍ରତିରକ୍ଷା ଏବଂ ସୁରକ୍ଷା, ବାଣିଜ୍ୟ ଏବଂ ଅର୍ଥନୀତି, ପ୍ରଯୁକ୍ତିବିଦ୍ୟା, ଆଞ୍ଚଳିକ ଏବଂ ବୈଶ୍ଵିକ ପ୍ରସଙ୍ଗ ଭଳି କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରୁ ଚୀନ ଯିବେ। ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୩୧ରୁ ୨୦୨୫ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚୀନ ଗସ୍ତରେ ରହିବେ। ପ୍ରଧାନମନ୍ତ୍ରି ସେପ୍ଟେମ୍ବର ୧ରେ ଚୀନର ତିଆନଜିନରେ ଆୟୋଜିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ମନ୍ତ୍ରଣାଳୟ କହିଛି- ଶିଖର ସମ୍ମିଳନୀ ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦୀ ଅନେକ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର ସମ୍ଭାବନା ଅଛି।
Also read- ବନ୍ଦ ହୋଇଯିବ ଡ୍ରିମ୍-୧୧ ଅନଲାଇନ୍ ଗେମ୍