ନୂଆଦିଲ୍ଲୀ: ଚୀନର ଟିକଟକ ଏବଂ ଅଲିଏକ୍ସପ୍ରେସର ୱେବସାଇଟ ଭାରତରେ ପୁଣି ଥରେ ଖୋଲିବାରେ ଲାଗିଛି । କିନ୍ତୁ ସରକାର ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଭାରତ ସରକାର ଟିକଟକକୁ ଅନବ୍ଲକ କରିବାକୁ କୌଣସି ଆଦେଶ ଜାରି କରିନୁ । ଟିକଟକ ପୁଣି ଥରେ ଭାରତରେ ଚାଲିବା ଖବର ମିଛ ଅଟେ । ଏହି ପୂରା ଘଟଣାକ୍ରମକୁ ନେଇ କଂଗ୍ରେସ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି । କଂଗ୍ରେସ ସାମାଜିକ ଗଣମାଧ୍ୟମ ଏକ୍ସଦରେ ଲେଖିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହିଦଙ୍କ ବଳିଦାନ ଉପରେ ଚୀନ ସହ ସାଲିସ କରୁଛନ୍ତି ।
ତେବେ ସରକାର କହିଛନ୍ତି, ଟିକଟକ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବା ପାଇଁ କୌଣସି ପ୍ରକାରର ଆଦେଶ ଜାରି କରାଯାଇ ନାହିଁ । ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଧରଣର ଖବର ସଂପୂର୍ଣ୍ଣ ଭାବେ ମିଥ୍ୟା ଅଟେ । ସୋସିଆଲ ମିଡିଆ ଏବଂ ଅନ୍ୟ ପ୍ଲାଟଫର୍ମରେ ଟିକଟକ ଅନବ୍ଲକ ହେବା ନେଇ ଯେଉଁ ଖବର ଭାଇରାଲ୍ ହେଉଛି ତାହା ନିରାଧାର ଏବଂ ଗୁଜବ । ସରକାର ରାଷ୍ଟ୍ରୀୟ ସୁରକ୍ଷା ଏବଂ ତଥ୍ୟ ଗୋପନୀୟତାକୁ ନେଇ ପୂର୍ବରୁ ଟିକଟକ ସହିତ ଅନେକ ଚୀନ ଆପ୍ ଲାଗିଥିବା ପ୍ରତିବନ୍ଧକ ଏବେ ବି ଲାଗୁ ରହିଛି ।
ସୂଚନାଯୋଗ୍ୟ, ୨୦୨୦ ଜୁନରେ ଭାରତ ସରକାର ଟିକଟ୍ ସମେତ ୫୯ଟି ଚୀନ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏଥିରେ ଟିକଟକ ଭିଡିଓ କଲ୍, କ୍ଲବ୍ ଫ୍ୟାକ୍ଟ୍ରି ଏବଂ କ୍ୟାମ୍ ସ୍କାନର ଭଳି ଆପ୍ ମଧ୍ୟ ସାମିଲ ଥିଲା। ସରକାର ଏହି ଆପଗୁଡ଼ିକୁ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱ ପ୍ରତି ବିପଦ ଦର୍ଶାଇ ବ୍ୟାନ କରିଥିଲେ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଥିଲେ ଯେ ଏହି ଆପ୍ ଗୁଡ଼ିକ \'ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା, ପ୍ରତିରକ୍ଷା, ସୁରକ୍ଷା ଏବଂ ସାର୍ବଜନୀନ ବ୍ୟବସ୍ଥା ପ୍ରତି କ୍ଷତିକାରକ\' ଗତିବିଧିରେ ଜଡିତ। ଗଲୱାନ୍ ଉପତ୍ୟକାରେ ଭାରତ ଏବଂ ଚୀନ୍ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ କେନ୍ଦ୍ର ସରକାର ଚୀନ ଆପ୍ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଥିଲେ।