ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନଲାଇନ୍ ଗେମିଂ ବିଲ୍ ଆଣିବା ପରେ ଅନଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ମଧ୍ୟରେ ନିଦ ହଜିଯାଇଛି । ସଂସଦର ଉଭୟ ସଦନରେ ଏହି ବିଲ୍ ପାରିତ ହୋଇସାରିଛି । ବିଶେଷ କରି ରିୟଲ୍ ମନି ଗେମ୍ସ ସହିତ ଜଡ଼ିତ କମ୍ପାନୀ ଗୁଡ଼ିକ ଅଧିକ ଚିନ୍ତାରେ ଅଛନ୍ତି । ଦେଶର ଜଣାଶୁଣା ଅନଲାଇନ୍ ଗେମିଂ ଡ୍ରିମ୍-୧୧ ବର୍ତ୍ତମାନ ତାର ସଂସ୍ଥା ବନ୍ଦ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ।
କେନ୍ଦ୍ର ସରକାର ଅନଲାଇନ୍ ଗେମିଂ କମ୍ପାନୀ ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି । ଏହା ପରେ ଅନଲାଇନ୍ ଗେମିଂ କମ୍ପାନୀର ସେୟାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି । ତେଣୁ ଡ୍ରିମ୍-୧୧ ତାର ରିୟଲ୍ ମନି ଗେମିଂକୁ ବନ୍ଦ କରିବାକୁ ଯାଉଛି । ଫଳରେ ଏହି ସଂସ୍ଥାର ୨୮ ହଜାର କୋଟି ଉପଭୋକ୍ତାଙ୍କୁ ଏକ ଶକ୍ତ ଝଟକା ଲାଗିବାକୁ ଯାଉଛି । ୨୦୦୮ ମସିହାରେ ଭାରତରେ ଡ୍ରିମ୍-୧୧ ଗେମିଂ କମ୍ପାନୀ ଆରମ୍ଭ ହୋଇଥିଲା । ଏହାର ପ୍ରତିଷ୍ଠାତା ହର୍ଷ ଜୈନ ଏବଂ ଭବିତ ଶେଠ ଅଟନ୍ତି । ମାତ୍ର ୧୬-୧୭ ବର୍ଷ ମଧ୍ୟରେ ୨୮ ହଜାର କୋଟି ୟୁଜର୍ସ ଏଥିରେ ଯୋଡ଼ି ହୋଇଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ଏହି କମ୍ପାନୀ ୯,୬୦୦ କୋଟି ଟଙ୍କା ଆୟ କରିଥିଲା । ପ୍ରାୟ ୯୦ ପ୍ରତିଶତ ଅର୍ଥ ଡ୍ରିମ୍-୧୧ର ରିୟଲ୍ ମନି ପ୍ରତିଯୋଗୀଙ୍କ ପାଖରୁ ଆସେ ।
ଖାଲି ଡ୍ରିମ୍-୧୧ ନୁହେଁ ବରଂ ଫାଣ୍ଟାସି ସ୍ପୋର୍ଟସ ଗେମ୍, ପୋକର ଏବଂ ରମି ସର୍କଲ ଭଳ କମ୍ପାନୀ ମଧ୍ୟ ବନ୍ଦ ହୋଇଯିବାର ବେଶ୍ ସମ୍ଭାବନା ରହିଛି । କେବଳ ଇ-ସ୍ପୋର୍ଟ୍ସ ଏବଂ ସାମାଜିକ ଖେଳ ପାଇଁ ଅନୁମତି ଅଛି । ଯଦି ଆଇନ ଉଲ୍ଲଂଘନ କରନ୍ତି ତେବେ ୩ ବର୍ଷ ଜେଲଦଣ୍ଡ ସହିତ ୧ କୋଟି ଜୋରିମାନା ଦେବାକୁ ପଡ଼ିବ ।