ଗୌହାଟୀ: ଆସାମର ଧେମାଜୀ ଜିଲ୍ଲାରେ ଏକ ଅଦାଲତ ୨୦୨୧ରେ ଜଣେ କଲେଜ ଛାତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ବିବାହ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ପରେ ଯୁବତୀଙ୍କୁ ହତ୍ୟା କରିଥିଲେ । ୨୦୨୧ ଅଗଷ୍ଟ ୨୧ ତାରିଖରେ ଧେମାଜୀର ମୋରଧଲ କଲେଜର କର୍ମଚାରୀ ରିଣ୍ଟୁ ସରମା ଆସାମ ରାଜ୍ୟ ପରିବହନ ନିଗମ ବସ ଷ୍ଟାଣ୍ଡ ନିକଟରେ ନନ୍ଦିତା ନାମକ ଛାତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ନନ୍ଦିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅଗଷ୍ଟ ୨୫ରେ ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଏହି ହମଲାରେ ଅନ୍ୟ ଜଣେ ଛାତ୍ରୀ କାଶ୍ମିନା ଦତ୍ତ ଏବଂ ତାଙ୍କ ବାପା ଦେବା ଦତ୍ତ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣା ପରେ ଅଭିଯୁକ୍ତ ସରମା ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲା । ମାମଲାର ତଦନ୍ତ ଏବଂ ଶୁଣାଣି ୪ ବର୍ଷ ଧରି ଚାଲିଥିଲା । ପୋଲିସ ୪୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ୪୧ ସାକ୍ଷୀ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ଦେଇଥିଲେ ।
ଚଳିତ ବର୍ଷ ଅଗଷ୍ଟ ୨୦ରେ ଜିଲ୍ଲା ଏବଂ ସେସନ କୋର୍ଟର ବିଚାରପତି କଲ୍ୟାଣଜିତ ସୈକିଆ ଅଭିଯୁକ୍ତ ଯୁବକକୁ ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର ଅନେକ ଧାରା ଆଧାରରେ ଦୋଷ ସାବ୍ୟସ୍ତ କରିଥିଲେ । ଜଜ ନିଜର ଆଦେଶରେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସିଦ୍ଧାନ୍ତ ମୁତାବକ, ଏହି ମାମଲା ନିଶ୍ଚିତ ରୂପେ ଦୁଲର୍ଭ ମାମଲା ଶ୍ରେଣୀରେ ଆସୁଛି । ଯଦି ଆଜୀବନ କାରାଦଣ୍ଡ ଦିଆଯିବ ତେବେ ତାହା ଦୋଷୀ ପାଇଁ ପର୍ଯ୍ୟାପ୍ତ ନୁହେଁ । ତେଣୁ ଦୋଷୀକୁ ଧାରା ୩୦୨ ଆଧାରରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଉଛି । ସେ ପର୍ଯ୍ୟନ୍ତ ତାକୁ ଫାଶିରେ ଝୁଲାଇ ରଖାଯିବ ଯେ ପର୍ଯ୍ୟନ୍ତ ତାର ମୃତ୍ୟୁ ନ ହୋଇଛି ।
Also read: ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟି; ଗଛରେ ଚଢି ପାଚେରୀ ଡେଇଁ ଗରୁଡ ଫାଟକରେ ପହଞ୍ଚିଲେ ବ୍ୟକ୍ତି, ଭିତରକୁ ଫଶିବାକୁ ଉଦ୍ୟମ