ନୂଆଦିଲ୍ଲୀ: ବିଦ୍ୟାଳୟକୁ ଶିକ୍ଷା ଗ୍ରହଣ କରିବାକୁ ଯାଉଥିବା କୁନି କୁନି ପିଲାମାନେ ବର୍ତ୍ତମାନ ପବିତ୍ର ବିଦ୍ୟା ମନ୍ଦିରରେ ରକ୍ତ ସହ ଖେଳୁଛନ୍ତି । କଲମ ଧରିବା ବୟସରେ ହାତରେ ଧରୁଛନ୍ତି ଛୁରୀ ଓ ବନ୍ଧୁକ । କଥା କଥାରେ ଛୁରୀ ଚଲାଇବାକୁ ପଛାଉ ନାହାଁନ୍ତି । ମାତ୍ର ଗୋଟିଏ ମାସରେ ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଆସିଲାଣି ତିନୋଟି ମାମଲା । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ଗୁଜରାଟରୁ ନେଇ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶରେ, ବିଦ୍ୟାଳୟ ପରିସରରେ ଘଟିଛି ଏଭଳି ଜଘନ୍ୟ ଅପରାଧ ।
ଅହମ୍ମଦାବାଦ ମାମଲା-
ଅଗଷ୍ଟ ୧୯, ଗୁଜରାଟ ଅହମ୍ମଦାରେ ସେଭେନ୍ଥ ଡେ ଆଡଭେଣ୍ଟିଷ୍ଟ ନାମରେ ଏକ ଘରୋଇ ବିଦ୍ୟାଳୟରେ ଜଣେ ୯ମ ଶ୍ରେଣୀର ପଢ଼ୁଥିବା ଛାତ୍ର ସାମାନ୍ୟ ବଚସାକୁ ନେଇ ୧୦ମ ଶ୍ରେଣୀ ଛାତ୍ରକୁ ହତ୍ୟା କରିଛି । ବିଦ୍ୟାଳୟର ଦୁଇ ଜଣ ସାଙ୍ଗ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଜମେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଆଉ ଜଣେ ନବମ ଶ୍ରେଣୀରେ ପଢ଼ୁଥିଲା । ଗତ ସପ୍ତାହରେ ବିଦ୍ୟାଳୟ ସିଡ଼ିରେ କିଏ ଆଗରେ ଚଢ଼ିବ ସେ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି କଥାକୁ ୧୦ମ ଛାତ୍ର ଜଣକ ଭୁଲି ଯାଇଥିବାବେଳେ ୯ମ ଛାତ୍ରଟି ମନେ ମନେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା । ଗୋଟିଏ ସପ୍ତାହ ପରେ ଅର୍ଥାତ୍ ଅଗଷ୍ଟ ୧୯, ମଙ୍ଗଳବାର ଦିନ ଦୁଇ ଜଣ ପୁଣି ସାମ୍ନାସାମ୍ନି ହୋଇଥିଲେ । ସ୍କୁଲ ଛୁଟି ସମୟରେ ୯ମ ଛାତ୍ର ଜଣକ ୧୦ମ ଛାତ୍ର ଆଗରେ ବାଟ ଓଗାଳି ଛିଡ଼ା ହୋଇଥିଲା । ଏହା ପରେ ଉକ୍ତ ଛାତ୍ର ୧୦ମ ଛାତ୍ରକୁ ଛୁରୀରେ ପେଟରେ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଏହା ପରେ ଫେରାର ହୋଇଗଲା । କେହି କିଛି ଭାବିବା ପୂର୍ବରୁ ଏଭଳି ଏକ ଜଘନ୍ୟ ଅପରାଧ ଘଟିଗଲା । ଅନ୍ୟଛାତ୍ର ଉପସ୍ଥିତ ଥାଇ ମଧ୍ୟ କିଛି କରିପାରିଲେ ନାହିଁ ।
ଅଭିଯୋଗ ହେଉଛି କି ପ୍ରାୟ ୩୦ ମିନିଟ୍ ଧରି ଛାତ୍ରଟି ସେଠାରେ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ କୌଣସି କର୍ମଚାରୀଙ୍କ ଦେଖା ନ ଥିଲା । ଅନ୍ୟଛାତ୍ରଙ୍କ ଠାରୁ ଘର ଲୋକେ ଖବର ପାଇବା ପରେ ପୁଅକୁ ମେଡ଼ିକାଲ ନେଇଥିଲେ । ମଙ୍ଗଳବାର ବିଳମ୍ବିତ ରାତରେ ପିଲାଟି ମୃତ୍ୟୁବରଣ କରିଥିଲା । ଏହାକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା । ଅନ୍ୟ ଅଭିଭାବକମାନେ ସ୍କୁଲରେ ଭଙ୍ଗାରୁଜା କରିଥିଲେ ।
ତେବେ ଅଭିଯୁକ୍ତ ଛାତ୍ରଟି ତାର ଜଣେ ସାଙ୍ଗ ସହିତ ମୋବାଇଲରେ କରିଥିବା ମେସେଜ୍ ମଧ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ ଛାତ୍ର ଯେଉଁଭଳି ଭାବେ ଉତ୍ତର ଦେଇଛି ତା ସାଙ୍ଗକୁ ସମସ୍ତଙ୍କୁ ଆହୁରି ଚକିତ କରିଛି । ଜଣେ ନାବାଳକ ମୁଣ୍ଡରେ ଏପରି ବୁଦ୍ଧି କେଉଁଠୁ ଆସିଲେ ତାହା ଏବେ ବଡ଼ ପ୍ରଶ୍ନ ।
ଗାଜୀପୁରରେ ଛାତ୍ରର ଛୁରା ମାଡ଼ରେ ଛାତ୍ର ମୃତ
ସେହିପରି ଉତ୍ତର ପ୍ରଦେଶ ଗାଜୀପୁରରେ ମଧ୍ୟ ଏକ ସମାନ ଘଟଣା ଘଟିଛି । ଏକ ଘରୋଇ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଦଶମ ଛାତ୍ରକୁ ସାମାନ୍ୟ ବଚସାକୁ ନେଇ ଛୁରୀ ଭୂଶି ହତ୍ୟା କରିଛି । ପ୍ରନିନ୍ସିପାଲଙ୍କ କହିବା ମୁତାବକ, ପ୍ରତ୍ୟେକ ଦିନ ପିଲାଙ୍କ ବ୍ୟାଗ ଯାଞ୍ଚ କରାଯାଉଛି । କିନ୍ତୁ ପିଲାଟି ଅତି ଚତୁରତାର ସହିତ ପାଣି ବୋତଲ ଭିତରେ ଛୁରୀ ଆଣିଥିଲା ବୋଲି କହିଛନ୍ତି ପ୍ରିନ୍ସିପାଲ । ଏଥିରେ ଅନ୍ୟ ୩ ଜଣ ଛାତ୍ର ମଧ୍ୟ ଆହତ ହୋଇଥିଲେ । ପୋଲିସ ଅଭିଯୁକ୍ତ ଛାତ୍ରକୁ ଗିରଫ କରି ହେପାଜତକୁ ନେଇଛି ।
ଉତ୍ତରାଖଣ୍ଡରେ ଶିକ୍ଷକଙ୍କୁ ଗୁଳି ମାରିଲା ଛାତ୍ର
ଉତ୍ତରାଖଣ୍ଡ କାଶୀପୁରରେ ଜଣେ ଛାତ୍ର ଶିକ୍ଷକଙ୍କୁ ଗୁଳି ମାରିଦେଇଛି । ଛାତ୍ରଟି ଟିଫିନ୍ ବକ୍ସରେ ବନ୍ଧୁକ ଲୁଚାଇକି ଆଣିଥିଲା ବୋଲି ଜଣାପଡ଼ିଛି । ଶିକ୍ଷକ ଗଗନଦୀପ ସିଂହ କୋହଲିଙ୍କ କାନ୍ଧ ତଳକୁ ଗୁଳି ଲାଗିଛି । ସେ ବର୍ତ୍ତମାନ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଦୁଇ ଦିନ ପୂର୍ବରୁ ଶିକ୍ଷକ ଅଭିଯୁକ୍ତ ଛାତ୍ରକୁ ମାଡ଼ ମାରିଥିଲେ । ଯାହାର ପ୍ରତିଶୋଧରେ ସେ ଏପରି କାଣ୍ଡ ଘଟାଇଥିଲା ବୋଲି ପୋଲିସ ଯାଞ୍ଚରୁ ଜଣାପଡ଼ିଛି ।
ଜୁଭେନାଇଲ୍ ଆକ୍ଟ
ତେବେ ଜୁଭେନାଇଲ୍ ଆକ୍ଟର ଧାରା ବହୁତ କୋହଳ ଅଟେ । ଏହା ଅନୁସାରେ ଯଦି କୌଣସି ଛାତ୍ର ଅପରାଧ କରୁଛନ୍ତି, ତେବେ ସେମାନଙ୍କୁ କେବେବି ଜେଲ୍ ହେବ ନାହିଁ କିମ୍ବା କୌଣସି ଦଣ୍ଡରେ ଦଣ୍ଡିତ କରାଯାଇପାରିବ ନାହିଁ । ସେମାନଙ୍କୁ କେବଳ ୩ ବର୍ଷ ପାଇଁ ସୁଧାର ଗୃହରେ ରଖାଯିବ ଏବଂ ପରେ ମୁକ୍ତ କରିଦିଆଯିବ । ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମରେ ଜଣେ ନାବାଳକ ଅଭିଯୁକ୍ତ ଥିଲା । ଏହି ଘଟଣା ପରଠାରୁ ଜୁଭେନାଇଲ ଆଇନରେ ସଂଶୋଧନ ମଧ୍ୟ କରାଯାଇଛି ।