ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇବା ଏବଂ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି ଉତ୍ତର ପ୍ରଦେଶ ରାଜ୍ୟ କଂଗ୍ରେସ ସଭାପତି ଅଜୟ ରାୟ । ଏ ନେଇ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ରାୟ ଗୁରୁବାର ଲେଖିଥିବା ଚିଠିରେ କହିଛନ୍ତି, ଜନ ପ୍ରତିନିଧିଙ୍କୁ ନିଜର ରାଜନୈତିକ ଏବଂ ସାମାଜିକ ଦାୟିତ୍ୱ ନିର୍ବାହ ପାଇଁ ଜନତା ଏବଂ ସମର୍ଥକଙ୍କ ସହ ନିରନ୍ତର ଆଲୋଚନା କରିବାକୁ ପଡିଥାଏ । କୌଣସି ବି ଗଣମାନ୍ୟ ରାଜନେତାଙ୍କ ଜୀବନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ ଏବଂ ଏହାର ସୁରକ୍ଷା ପାଇଁ ସର୍ବୋତ୍ତମ ବ୍ୟବସ୍ଥା ସୁନିଶ୍ଚିତ କରାଯିବା ଉଚିତ୍ ।
ଅଜୟ ରାୟ ଏହା ମଧ୍ୟ ଲେଖିଛନ୍ତି, ଲୋକସଭାରେ ବିରୋଧୀ ଦଳ ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ରାହୁଲ କଂଗ୍ରେସ ଏବଂ ଭାରତୀୟ ରାଜନୀତିରେ ସବୁଠୁ ଲୋକପ୍ରିୟ ନେତାଙ୍କ ମଧ୍ୟରୁ ଜଣେ । ବର୍ତ୍ତମାନ ସେ ବିହାରରେ ଜନ ଅଧିକାର ଯାତ୍ରାର ନେତୃତ୍ୱ ନେଉଛନ୍ତି । ଏଥିରେ ତାଙ୍କର ବିଚାର ଶୁଣିବା ଏବଂ ଦେଖିବା ପାଇଁ ଲକ୍ଷାଧିକ ଲୋକ ଏକତ୍ର ହେଉଛନ୍ତି । ଏମିତି ପରିସ୍ଥିତିରେ ରାହୁଲ ଗାନ୍ଧୀଙ୍କ ଉଚ୍ଚତମ ସ୍ତରର ସୁରକ୍ଷା ସୁନିଶ୍ଚିତ କରିବା ଅନିବାର୍ଯ୍ୟ ଅଟେ ।
ସେ ଲେଖିଛନ୍ତି, ରାହୁଲ ଗାନ୍ଧୀଙ୍କ ପରିଜ ଅତୀତରେ ଆତଙ୍କବାଦୀଙ୍କ ଶିକାର ହୋଇଛନ୍ତି । ଉକ୍ତ ଘଟଣାରେ ସୁରକ୍ଷା ତ୍ରୁଟି ଏକ ପ୍ରମୁଖ କାରଣ ଥିଲା । ରାୟ ଆଶା ବ୍ୟକ୍ତ କରିଛନ୍ତି ଯେ, ଗୃହ ମନ୍ତ୍ରୀ ଅମିତ ଶାହ ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବେ ।
ଅଧିକ ପଢନ୍ତୁ- ଆଶ୍ରୟସ୍ଥଳରେ ରହିବେନି ସବୁ କୁକୁର, ସାର୍ବଜନୀନ ସ୍ଥାନରେ ଖାଦ୍ୟ ଦେବା ଉପରେ ଲାଗିଲା କଟକଣା