ନୂଆଦିଲ୍ଲୀ: ବୁଲା କୁକୁରଙ୍କ ପାଇଁ ମାନ୍ୟବର ସର୍ବୋଚ୍ଚ ଅଦାଲତ ଦେଇଥିବା ନିଜ ରାୟକୁ ବଦଳାଇଛନ୍ତି । ସବୁ ବୁଲା କୁକୁର ଆଉ ଆଶ୍ରୟ ସ୍ଥଳରେ ରହିବେ ନାହିଁ । କେବଳ ରୋଗିଣା ଏବଂ ଆକ୍ରମଣ କରୁଥିବା କୁକୁର ଆଶ୍ରୟସ୍ଥଳରେ ରହିବ । କିନ୍ତୁ ଏଥିପାଇଁ ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ ।
ଶୁକ୍ରବାର ନ୍ୟାୟାଧୀଶ ବିକ୍ରମ ନାଥଙ୍କ ନେଇ ଗଠିତ ତିନି ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ଅଗଷ୍ଟ 11ରେ ଦେଇଥିବା ରାୟରେ ସଂଶୋଧନ କରିଛନ୍ତି । ଦିଲ୍ଲୀର ବୁଲା କୁକୁରଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଇ ପାରିବ ନାହିଁ । ଯେଉଁମାନଙ୍କୁ ରଖାଯାଇଛି ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସେମାନଙ୍କ ବନ୍ଧ୍ୟାକରଣ ଏବଂ ଟୀକାକରଣ ପରେ ଛଡ଼ାଯିବ । କେବଳ ରୋଗିଣା ଏବଂ ଆକ୍ରମଣକାରୀ କୁକୁରଙ୍କୁ ସେଲଟର୍ ହୋମରେ ରଖାଯିବ ।
ଏହା ସହିତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କୋର୍ଟ ନୋଟିସ୍ ଜାରି କରିଛନ୍ତି । ଖାଲି ସେତିକି ନୁହେଁ ଯେଉଁଠି ନାହିଁ ସେଠି କୁକୁରଙ୍କୁ ଖାଦ୍ୟ ଦେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏକ ନିର୍ଦ୍ଧିଷ୍ଟ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦେବେ ପଶୁପ୍ରେମୀ । ସାର୍ବଜନିକ ସ୍ଥାନରେ ବୁଲା କୁକୁରଙ୍କୁ ଖାଇବାକୁ ଦିଆଯାଇ ପାରିବ ନାହିଁ । ଏହା ଦ୍ୱାରା ଅନେକ ସମସ୍ୟା ଉତ୍ପନ୍ନ ହେଉଛି । ପ୍ରତ୍ୟେକ ବୋର୍ଡ ଏଥିପାଇଁ କୁକୁରଙ୍କ ଖାଇବା ପାଇଁ ସ୍ଥାନ ନିରୂପଣ କରିବେ । ଯେଉଁ ଏନଜିଓ ସଂସ୍ଥା ସ୍ଥାନ ନିର୍ଦ୍ଧାରଣ କରି ଫିଡିଂ ଜୋନ୍ ତିଆରି କରିବେ ସେମାନଙ୍କୁ ୨୫,୦୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବ । ଯଦି ଏହି ନିୟମକୁ କେହି ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଅଭିଯୋଗ କରିବାକୁ ହେଲ୍ପଲାଇନ୍ ନମ୍ବର ଜାରି କରାଯିବ ।
ଯେଉଁ ପଶୁ ପ୍ରେମୀମାନେ ବୁଲା କୁକୁରକୁ ଘରେ ନେଇ ପାଳନ କରିବାକୁ ଚାହିଁବେ, ସେମାନଙ୍କୁ ଅନୁମତି ପ୍ରଦାନ କରାଯିବ । ସେମାନେ ଏଥିପାଇଁ ଦରଖାସ୍ତ ଦେଇପାରିବେ ବୋଲି କହିଛନ୍ତି କୋର୍ଟ । କିନ୍ତୁ ପରେ ଆଉ ଉକ୍ତ କୁକୁରକୁ ରାସ୍ତାରେ ଛାଡ଼ି ପାରିବେ ନାହିଁ ।
ଆବଦନକାରୀଙ୍କ ପକ୍ଷ ଓକିଲ ନନିତା ଶର୍ମା ସୁପ୍ରିମକୋର୍ଟଙ୍କ ଏହି ଆଦେଶକୁ ସନ୍ତୁଳିତ ଆଦେଶ ବୋଲି ଅବିହିତ କରିଛନ୍ତି । ସୁପ୍ରିମକୋର୍ଟ ସମସ୍ତ ରାଜ୍ୟକୁ ଏହି ନିୟମ ମାନିବାକୁ କହିଛନ୍ତି ।