ପୁରୀ : ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ। ସପ୍ତପୁରୀ ଅମାବାସ୍ୟାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ତାଡ଼ରେ ସାତପୁର ଦିଆ ପିଠା ଭୋଗ କରାଯାଇଥାଏ। ତେଣୁ ତାଡ଼ଗୁଡ଼ିକୁ ସାତପୁରୀ ତାଡ଼ ବୋଲି କୁହାଯାଏ। ଆସନ୍ତାକାଲି ଶନିବାର ସପ୍ତପୁରୀ ଅମାବାସ୍ୟା ପଡୁଛି। ଏହା ପୂର୍ବଦିନ ଅର୍ଥାତ୍ ଆଜି ଶୁକ୍ରବାର ପରମ୍ପରା ଅନୁଯାୟୀ ଅଠରନଳାସ୍ଥିତ ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ତାଡ଼ ବିଜେ ହେବ।
ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିପ୍ରହର ଧୂପ ସମ୍ପନ୍ନ ପରେ ଶ୍ରୀମନ୍ଦିରରୁ ଘଣ୍ଟ ଛତା, କାହାଳି ଅଠରନଳାସ୍ଥିତ ଆଲାମଚଣ୍ଡୀ ମନ୍ଦିରକୁ ଯିବେ । ମା’ଙ୍କ ନିକଟରେ ବିିଶେଷ ନୀତି ସମ୍ପନ୍ନ ହେବାପରେ କୁମ୍ଭାର ବିଶୋଇ ସେବକମାନେ ବାଘମୁହାଁ ବାନ୍ଧି ଆଲାମଚଣ୍ଡୀ ଠାକୁରାଣୀଙ୍କ ପୀଠରୁ ୪ଟି ସାତପୁରୀ ତାଡ଼ ମୁଣ୍ଡରେ ମୁଣ୍ଡାଇ ଚାଲିଚାଲି ଘଣ୍ଟ, ଓଲାର କାହାଳୀ ସହ ଶ୍ରୀମନ୍ଦିରକୁ ଆସିବେ । ତାଡ଼ଗୁଡ଼ିକ ଶ୍ରୀମନ୍ଦିର ପରିସରରେ ପହଞ୍ଚତ୍ବା ପରେ ଶ୍ରୀମନ୍ଦିର ଭିତର ବେଢ଼ାରେ ସେଗୁଡ଼ିକୁ ଗୋଟିଏ ଥର ବୁଲାଇ ଏହାକୁ ରୋଷ ବେହେରଣ୍ଠାରେ ରଖାଯିବ । ପରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟାଧୂପ ବଢ଼ିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଦକ୍ଷିଣକାଳୀଙ୍କ ପୀଠକୁ ଯାଇ ଠାକୁରାଣୀଙ୍କୁ ଅର୍ପଣ କରିବେ । ଏହାପରେ ଦକ୍ଷିଣକାଳୀଙ୍କ ସେବକମାନେ ଏକ ଆଜ୍ଞାମାଳ ଆଣି ଶ୍ରୀମନ୍ଦିରକୁ ଆସି ରୋଷଦ୍ୱାର ପାଖରେ ରୋଷ ପାଇକଙ୍କୁ ଉକ୍ତ ଆଜ୍ଞାମାଳକୁ ଅର୍ପଣ କରିବେ । ଏହା ପରେ ରୋଷ ପାଇକଉକ୍ତ ଆଜ୍ଞାମାଳକୁ ନେଇ ରୋଷଘରେ ବିଜେ କରାଇବେ । ଏହାପରେ ଶ୍ରୀମନ୍ଦିରରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ବଢିବ ।
ଆସନ୍ତାକାଲି ସାତପୁରୀ ରୋଷରେ ସାତପୁରୀ ପିଠା ପ୍ରସ୍ତୁତ ହେବ। ପିଠାଗୁଡିକୁ ସକାଳଧୂପରେ ମହାପ୍ରଭୁଙ୍କୁ ସାତପୁରୀ ପିଠା ଲାଗି କରାଯିବ। ଉଲ୍ଲେଖଯୋଗ୍ୟ ମାଟିରେ ନିର୍ମିତ ସାତପୁରୀ ତାଡ଼ରେ ସାତପୁରୀ ପିଠା ପ୍ରସ୍ତୁତ ହୁଏ। କୁମ୍ଭାର ବିଶୋଇ ସେବକମାନେ ଏହି ତାଡକୁ ତିଆରି କରିଥାନ୍ତି। ମା’ ଆମାଲଚଣ୍ଡୀ ମନ୍ଦିରରୁ ୪ଟି ସାତପୁରୀ ତାଡ଼ ଶ୍ରୀମନ୍ଦିରକୁ ଆସିଥାଏ।
ସେହିପରି ଏହି ଦିନ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ସପ୍ତପୁରୀ ପିଠା ଲାଗିହେବ। ଏହା ପ୍ରତ୍ୟେକ ଧୂପ ଏବଂ ବେଢା ଭିତରେ ଥିବା ସମସ୍ତ ଠାକୁରଙ୍କ ପାଖରେ ଭୋଗ କରାଯିବ। ଏଣୁ ପୂର୍ବ ସନ୍ଧ୍ୟାରୁ ପରମ୍ପରା ଅନୁଯାୟୀ କପିଳେଶ୍ୱର ଗ୍ରାମ କୁମ୍ଭାର ସାହିରୁ ମେଘ ଡମ୍ବରୁ ଏବଂ ଘଣ୍ଟ ଶୋଭାଯାତ୍ରାରେ ମନ୍ଦିରକୁ ତାଡ଼ ଆସିବ । କୁମ୍ଭାର ସେବାୟତମାନେ ନୂତନ ବସ୍ତ୍ର ପରିଧାନ କରି ଏହି ତାଡ଼କୁ ମନ୍ଦିରକୁ ଆଣିବେ । ଆସନ୍ତାକାଲି ପ୍ରଭୁ ଲିଙ୍ଗରାଜଙ୍କୁ ମଧ୍ଯ ସାତପୁରୀ ଭୋଗ ଅର୍ପଣ କରାଯିବ।