କେନ୍ଦୁଝର: ଶିକ୍ଷକଙ୍କ ବେପରୁଆ ମନୋଭାବ ଜଣେ ଛାତ୍ରୀଙ୍କୁ ବିପଦ ମୁହଁକୁ ଟାଣି ନେଇଛି । ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ବିଦ୍ୟାଳୟର ଅନ୍ଧାର କୋଠରୀ ଭିତରେ ରାତି କାଟିଲା । ଶେଷରେ ଆସିବାକୁ ଚେଷ୍ଟା କରିବା ବେଳେ ଝରକାରେ ଫସି ରାତି ସାରା ଝୁଲି ରହିଲା । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟ ଛୁଟି ହେବା ପରେ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ସ୍କୁଲ ଭିତରେ ରହିଯାଇଥିଲା । ଶିକ୍ଷକମାନେ ଭଲ ଭାବରେ ଯାଞ୍ଚ ନକରି ଅତି ବେପରୁଆ ଭାବରେ ତାଲା ପକାଇ ଚାଲିଯାଇଥିଲେ । ଫଳରେ ଛାତ୍ରୀ ରାତି ସାରା ବିଦ୍ୟାଳୟ ଭିତରେ ଅଟକି ରହିଥିଲା । ନିଜେ ଝରକାବାଟେ ଆସିବାକୁ ଚେଷ୍ଟା କରୁଥିବାବେଳେ ଝରକାରେ ମୁଣ୍ଡ ଅଟକି ଯାଇଥିଲା । ଛାତ୍ରୀଟି ରାତି ତମାମ ଝରକାରେ ଝୁଲି ରହିଥିଲା ।
ସେପଟେ ପରିବାର ଲୋକେ ଝିଅକୁ ସାରା ରାତି ବିଭିନ୍ନ ସ୍ଥାନରେ ଖୋଜି ପାଇ ନ ଥିଲେ । ଆଜି ସକାଳେ ସ୍କୁଲରେ ଛାତ୍ରୀଙ୍କୁ ଖୋଜିବା ପାଇଁ ବାପା ମାଆ ପାଚିକାଙ୍କୁ ଚାବି ମାଗିଥିଲେ । ସ୍କଲ ଖୋଲିବା ପରେ କୋମଳମତି ଶିଶୁଟି ଝରକାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୧୭ ଘଣ୍ଟା ପରେ ଛାତ୍ରୀଟିକୁ ଉଦ୍ଧାର କରାଯାଇଛି । ଝିଅକୁ ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତମାନ ଝିଅ ଟି ସୁସ୍ଥ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଶିକ୍ଷକଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେମିତି ଭଲଭାବରେ ଯାଞ୍ଚ ନ କରି ତାଲା ପକାଇ ଦେଲେ ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।