ଗଞ୍ଜାମ: ଝରଣାରେ ଗାଧେଇବା ସମୟରେ ଘଟିଲା ଅଘଟଣ । ଅଚାନକ ପାହାଡ଼ ଉପରୁ ଖସିଲା ପଥର । ଆଉ ପଥର ତଳେ ଚାପି ହୋଇଗଲେ ଯୁବକ। ବହୁ କଷ୍ଟରେ ଗାଁ ଲୋକେ ଶଙ୍କରକୁ ଉଦ୍ଧାର କଲେ ସତ । କିନ୍ତୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଉ ନେଉ ଅଧା ରାସ୍ତାରେ ହିଁ ଶଙ୍କରଙ୍କର ଚାଲିଗଲା ଜୀବନ ।
ତେବେ ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ତୁମ୍ବା ପଞ୍ଚାୟତ ନିକଟସ୍ଥ ମେଙ୍କାଡ଼ାଇ ଝରଣାରେ ଗାଧୋଉଥିବା ସମୟରେ ପଥର ତଳେ ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର। ମୃତ ଛାତ୍ର ଜଣକ ହେଲେ ୧୨ ବର୍ଷର ଶଙ୍କର ଶବର । ଗତକାଲି ସକାଳ ସମୟରେ ମେଙ୍କାଡାଇ ଗାଁର ଦୁଇ ଜଣ ସାଙ୍ଗଙ୍କ ସହ ଶଙ୍କର ନିକଟରେ ଥିବା ଏକ ଝରଣାକୁ ଗାଧୋଇବା ପାଇଁ ଯାଇଥିଲେ। ଝରଣାରେ ତିନି ଜଣ ଗାଧୋଇବା ବେଳେ ହଠାତ ଉପର ପଟରେ ଥିବା ପାହାଡ଼ରୁ ବଡ଼ ପଥର ଖସି ଆସିଥିଲା । ଫଳରେ ଶଙ୍କର ଶବର ଦୁଇଟି ପଥର ସନ୍ଧିରେ ଛନ୍ଦି ହୋଇପଡ଼ିଥିଲେ ।
ସେଠାରେ ଉପସ୍ଥିତ ଥିବା ଅନ୍ୟ ଦୁଇଜଣ ଛାତ୍ର ଗ୍ରାମବାସୀଙ୍କୁ ଡ଼ାକି ଆଣିଥିଲା । ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଶଙ୍କର ଶବରକୁ ପଥର ସନ୍ଧିରୁ ଉଦ୍ଧାର କରି ଦୋଳା ସାହାଯ୍ୟରେ ବୋହି ଆଣିବା ସମୟରେ ଅଧା ରାସ୍ତାରେ ଶଙ୍କରର ମୃତ୍ୟୁ ଘଟିଥିଲା । ଖବର ପାଇ ଜରଡା ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫଏମଟି ବିଭାଗକୁ ପଠା ଯାଇଥିଲା ।
ପଥର ତଳେ ଫସି ରହି ବଞ୍ଚିବା ପାଇଁ ବହୁ ସମୟ ସଂଘର୍ଷ କରିଥିଲେ ମଧ୍ୟ ବଞ୍ଚି ପାରି ନଥିଲେ ଶଙ୍କର । ଏଭଳି ଅଘଟଣକୁ ନେଇ ସାରା ଅଞ୍ଚଳରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ ।