ପୁରୀ : ଆଜିଠୁ ରଥଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି ।ନିଳାଦ୍ରିବିଜେ ପରେ ଶ୍ରୀହୀନ ହୋଇପଡିଥିଲେ ତିନି ରଥ। ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ରଥଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି ।
ଅକ୍ଷୟ ତୃତୀୟା ଦିନ ଠାରୁ ଶ୍ରୀନଅର ସମ୍ମୁଖରେ ଏହି ରଥ ନିର୍ମାଣ ଚାଲିଥିଲା। ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ମହାପ୍ରଭୁ ଏହି ରଥରେ ବିରାଜମାନ କରି ନବଦିନାତ୍ମକ ଯାତ୍ରା କରିଥିଲେ। ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଶେଷ ହେଲା ପରେ ଆରମ୍ଭ ହୋଇଛି ରଥ ଭଙ୍ଗା କାର୍ଯ୍ୟ।
ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାମ ଆରମ୍ଭ ହୋଇଛି। ଏହାପରେ ତାଳଧ୍ୱଜ ରଥ ଭଙ୍ଗାଯିବ। ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବାର ପରମ୍ପରା ରହିଛି। ଭୋଇ ସର୍ଦ୍ଦାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଛି ଭଙ୍ଗା କାମ। ତା ପରେ ପାରାଭାଡି ଓ ପରେ ପରେ ଦ୍ୱାରବେଢା ଭଙ୍ଗା ଯାଇଛି। ଏହା ପରେ ସବୁ ଅଂଶକୁ ଭଙ୍ଗା ଯିବ। ତେବେ ଗୋଟିଏ ରଥକୁ ଭାଙ୍ଗିବା ପାଇଁ ୪ଦିନ ସମୟ ଲାଗିବ। ସେହିପରି ତିନି ରଥ ଭଙ୍ଗା କାମ ୧୦ରୁ ୧୨ ଦିନ ଭିତରେ ଶେଷ ହୋଇଥାଏ। ସେପଟେ ରଥ ଭଙ୍ଗା ଯିବା ପରେ ସିଂହାସନ , ପ୍ରଭା , ନାଟଗୋଡ , ଗୁଜ ଓ ଚକକୁ ନେଇ ଗୁଣ୍ଡିଚା ମନ୍ଦିର ଭିତରେ ରଖାଯିବ। ତାହାକୁ ବିକ୍ରି ବା ନିଲାମ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥାଏ।
ଅନ୍ୟପଟେ ବଳକା ଭଙ୍ଗା କାଠଗୁଡିକୁ ଦୋଳବେଦୀ କୋଣରେ ରଖିବା ପରେ ତାହା ଚିରଟ କରାଯାଇ କୋଠଭୋଗ ରୋଷେଇ ପାଇଁ ଜାଳେଣୀ ଆକାରରେ ବ୍ୟବହାର କରାଯାଇଥାଏ। ସେପଟେ ଦେବୀ ରଥରୁ ବାହାରୁଥିବା ଲୁହା କଣ୍ଟାକୁ ଫଳୁ ନ ଥିବା ଗଛରେ ବାଡେଇଲେ ଫଳ ଭରିଥାଏ ବୋଲି ବିଶ୍ୱାସ ରହୁଥିବାରୁ ଅନେକ ଭକ୍ତ ଏହି କଣ୍ଟା ସଂଗ୍ରହ କରିଥାନ୍ତି । ଶ୍ରୀମନ୍ଦିରର ଭୋଇସେବକମାନେ ଏହି ରଥଭଙ୍ଗା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ରଥଭଙ୍ଗା ସମୟରେ ରଥ ନିକଟରେ କଡାସୁରକ୍ଷା ବ୍ୟବସ୍ଥା କରାଯାଇଛି।