ଭୁବନେଶ୍ଵର : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଏପରିକି ଆଜି ମଧ୍ୟ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ପାଣିପାଗ ବିଭାଗ ପକ୍ଷରୁ ୫ ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଆସନ୍ତା ୨୫ରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ। ଅନ୍ୟପଟେ ଉତ୍ତର ଓଡ଼ିଶା ଓ ସଂଲଗ୍ନବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏବେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ତେଣୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ତେବେ ଆସନ୍ତାକାଲି ୨୫ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେଣୁ ସମସ୍ତଙ୍କୁ ସତର୍କତାର ସହିତ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ତେବେ ଆସନ୍ତା ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଢିବ ବର୍ଷା ପରିମାଣ ବୋଲି ଆକଳନ କରାଯାଇଛି। ତେବେ ଚଳିତ ବର୍ଷ ମୌସୁମୀ ଋତୁରେ ଏଯାଏ ରାଜ୍ୟରେ ହାରାହାରି ୭୬୪.୦ ମିଲିମିଟର ବର୍ଷା ହୋଇଛି। ଏପରିକି ଦୁଇଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ତେବେ ଦିନକୁ ଦୀନ ବର୍ଷାର ପରିମାଣ ବଢୁଥିବା ହେତୁ ସମୁଦ୍ରରେ ମଧ୍ୟ ଜଳ ବଢୁଛି ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।