ମାଲକାନଗିରି: ଛତିଶଗଡ ବିଜାପୁର ଜିଲ୍ଲାର ବାଙ୍ଗୋଲିର ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି । ଜଙ୍ଗଲ ଭିତରରୁ ୫ ଜଣ ହାର୍ଡକୋର ମାଓବାଦୀଙ୍କୁ ସୁରକ୍ଷାକର୍ମୀ ଧରିଛନ୍ତି ।
ଡିଆରଜି ଯବାନମାନେ ତଲାସୀ ଅଭିଯାନ ଜାରି ରଖିଥିବାବେଳେ ୫ ଜଣଙ୍କ ଗତିବିଧି ନେଇ ସନ୍ଦେହ ପ୍ରକାଶ କରିଥିଲେ । ଏହା ପରେ ସେମାନଙ୍କୁ କାବୁ କରିଥିଲେ । ସେମାନଙ୍କ ମୁଣ୍ଡ ଉପରେ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏମାନଙ୍କ ମଧ୍ୟରେ ଥିବା ଲକ୍ଷ୍ମୀ ଫାର୍ସା ଓ ସୁଖରାମ ହେମଲା ଓଡ଼ିଶାର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏମାନଙ୍କ ନିକଟରୁ ଟିଫିନ୍ ବୋମା, କୋର୍ଡେକ୍ସ ତାର, ବିଦ୍ୟୁତ ତାର, ବ୍ୟାଟେରୀ, ମାଟି ଖୋଳିବା ଉପକରଣ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।