କଟକ: ଆଉ ମାସଟା ପରେ ଅନୁଷ୍ଠିତ ହେବ ମାଆ ଦୁର୍ଗାଙ୍କ ଆବାହନ । ଝଲସିବ ତାରକସୀର ସହର କଟକ । ପାର୍ବଣ ସମୟରେ ସୁରକ୍ଷା ନିମନ୍ତେ ସୁଉଚ୍ଚ ତୋରଣ ଉପରେ କଟକଣା ଜାରି କରିଛନ୍ତି ମାନ୍ୟବର ହାଇକୋର୍ଟ ।
ଦୂର୍ଗାପୂଜା ସମୟରେ ସହରରେ ଉପୁଜୁଥିବା ସମସ୍ୟା ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ମାନ୍ୟବର ହାଇକୋର୍ଟ ଜନସ୍ୱାର୍ଥ ଗୁରୁବାର ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପାର୍ବଣ ସମୟରେ ସହରରେ ସୁଉଚ୍ଚ ତୋରଣ ନିର୍ମାଣ ହେବ ନାହିଁ । ବିଶେଷ କରି ବିଦ୍ୟୁତ ଜନିତ ଅଘଟଣ ରୋକିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପୂଜା ସମୟରେ ରାସ୍ତା ଅବରୋଧ କରି ପେଣ୍ଡାଲ ମଧ୍ୟ ତୋରଣ ନିର୍ମିତ ହେବ ନାହିଁ । ପୂଜା ବେଳେ ବହୁତ ଜନ ଗହଳି ଯୋଗୁଁ ଟ୍ରାଫିକ୍ ସମସ୍ୟା ଉତ୍ପନ୍ନ ହେଉଛି । ତେଣୁ ପେଣ୍ଡାଲ ଗୁଡ଼ିକ ଉପରେ କଟକଣା ଜାରି କରାଯାଇଛି । ତୋରଣର ଉଚ୍ଚତା ଓ ସୁରକ୍ଷାକୁ ନେଇ ଜିଲ୍ଲାପାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ତୋରଣର ଉଚ୍ଚତା ନେଇ କୌଣସି ରାୟ ଆସି ନାହିଁ । ପୂଜାରେ ତୋରଣ ଏବଂ ସୁରକ୍ଷା ସମ୍ପର୍କିତ ଅନୁମତି ପାଇଁ ହେବ ସିଙ୍ଗଲ ଓ୍ୱିଣ୍ଡୋ ବ୍ୟବସ୍ଥା ରହିବ । ତୋରଣ ନିର୍ମାଣ ପୂର୍ବରୁ ପୂଜା କମିଟିମାନେ ଜିଲ୍ଲା ପ୍ରଶାସନ ନିକଟରେ ଡିଜାଇନ୍ ବା ଡ୍ରଇଁ ଦେବେ । ଏହା ପରେ ପ୍ରଶାସନ ତୋରଣ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରାଯାଇଛି । କାରଣ ଗତବର୍ଷ ସାମାନ୍ୟ ବର୍ଷା ପବନରେ ଖାନନଗରରେ ଏକ ତୋରଣ ଭୁଶୁଡ଼ି ପଡ଼ିଥିଲା । ଏଥିରେ କୌଣସି ଧନଜୀବନ ହାନି ହୋଇ ନ ଥିବାବେଳେ କିନ୍ତୁ ଏକ ବଡ଼ ବିପଦ ଆଶଙ୍କା କରାଯାଇଥିଲା ।
ଏହା ସହିତ ଶବ୍ଦ ପ୍ରଦୂଷଣ ନେଇ ହାଇକୋର୍ଟଙ୍କ ଚିନ୍ତା ପ୍ରକଟ କରିଛନ୍ତି । ଶବ୍ଦ ପ୍ରଦୂଷଣ ରୋକିବାକୁ ୬୫ ଡେସିବିଲ ମଧ୍ୟରେ ସାଉଣ୍ଡ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କଟକ ପୋଲିସ କମିଶନର ଚାନ୍ଦା ଆଦାୟ ଉପରେ କଡ଼ା ନଜର ରଖିବେ । ଜବରଦସ୍ତି କାହାଠାରୁ ଯେପରି ପୂଜା ଚାନ୍ଦା ଆଦାୟ ନ ହୁଏ ସେଥିପ୍ରତି ଧ୍ୟାନ ଦେବେ ପୋଲିସ କମିଶନର । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସରୋଜ କୁମାର ପାଢ଼ୀ ମାମଲା ପରିଚାଳନା କରୁଥିଲେ ।