ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପ୍ରତି ଛକରେ ହେବ ଲେନ୍ ଡ୍ରାଇଭ । ରାଜଧାନୀରେ ଟ୍ରାଫିକ୍ ଜାମ୍ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣା କମାଇବା ପାଇଁ କମିଶନରେଟ ପୋଲିସ ଏହି ବଡ଼ ପଦକ୍ଷେପ ନେଇଛି । ଏହି ପରିପେକ୍ଷୀରେ ପ୍ରଥମଥର ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଲେନ୍ ଡ୍ରାଇଭ୍। ଏବେ ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ପ୍ରତି ପ୍ରମୁଖ ଛକ ଓ ବସ୍ ଷ୍ଟପେଜ୍ ଭଳି ସ୍ଥାନରେ ଲାଗୁ ହେବ। ଏହି ସବୁ ସ୍ଥାନରେ କିଛିଦିନ ପାଇଁ ୧୫୦ ମିଟର ପର୍ଯ୍ୟନ୍ତ ପ୍ଲାଷ୍ଟିକ୍ କୋନ୍ ରଖାଯିବ।
ଗାଡ଼ିଗୁଡ଼ିକ କୋନ୍ ରେ ଦର୍ଶାଯାଇଥିବା ଲେନ୍ ରେ ହିଁ ଯିବେ । ବାଇକ୍, କାର୍ କିମ୍ବା ଟ୍ରକ୍ ପାଇଁ ନିର୍ଦ୍ଧିଷ୍ଟ ଭାବେ ଲେନ୍ କରାଯାଇ ନାହିଁ । ତିନୋଟି ଥାକରେ ଲେନ୍ ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଦୁର୍ଘଟଣାର ସଂଖ୍ୟା କମିବ ବୋଲି କମିଶନରେଟ ପୋଲିସ କହିଛି । ଯିଏ ଯେଉଁ ଲେନ୍ ରେ ଥିବେ, ଟ୍ରାଫିକ୍ ଛକ ପୂର୍ବରୁ ସେହି ଲେନ୍ ରେ ହିଁ ରହିବେ। ଏହି ସ୍ଥାନରେ କୌଣସି ଗାଡ଼ି ଅନ୍ୟ ଗାଡ଼ିକୁ ଅତିକ୍ରମ କରିପାରିବ ନାହିଁ । କେହି ନିୟମ ଉଲଂଘନ କଲେ, ସେଠାରେ ଥିବା ଟ୍ରାଫିକ୍ ପୁଲିସ କାର୍ଯ୍ୟାନୁଷ୍ଠାନ ନେବେ ।
ମଙ୍ଗଳବାର ଅପରାହ୍ନରେ ଜୟଦେବବିହାର ଓଭରବ୍ରିଜ୍ ନିକଟରେ ପରୀକ୍ଷାମୂଳକ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଛି। ସେପଟେ କମିଶନରେଟ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ଅଟୋ ଡ୍ରାଇଭର । ଏହା ଦ୍ୱାରା କେଉଁ ଗାଡ଼ି କାହାକୁ ଓ଼ଭରଟେକ କରି ପାରିବ ନାହିଁ ଯାହା ଦ୍ୱାରା ଦୁର୍ଘଟଣା କମିବ ।