ଭୁବନେଶ୍ୱର: ରସୁଲଗଡ଼ ଓଭରବ୍ରିଜ ଉପରେ ସଫେଇ କର୍ମଚାରୀ ସଂଘ ସଭାପତି ତଥା ପୋଲିସ ମିତ୍ର ସହଦେବ ନାୟକଙ୍କ ହତ୍ୟା ମାମଲାରେ ଗିରଫଦାରୀ ସଂଖ୍ୟା ୫ରେ ପହଁଚିଛି । ଗିରଫ ଅଭିଯୁକ୍ତମାନେ ହେଲେ ମଞ୍ଚେଶ୍ୱର ଥାନା କେଦାରପଲ୍ଲୀରେ ରହୁଥିବା ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳର ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକ, ତା ସ୍ତ୍ରୀ ଲିପିକା ନାୟକ, ଖୋର୍ଦ୍ଧାର ରକି ନାୟକ, ଲକ୍ଷ୍ମୀ ନାୟକ ଓ ରାକେଶ ନାୟକ । ସେମାନଙ୍କ ନିକଟରୁ ହତ୍ୟା କାଣ୍ଡରେ ବ୍ୟବହୃତ ଅସ୍ତ୍ର, ୨ଟି ବାଇକ୍ ଓ ୪ଟି ମୋବାଇଲ ଜବତ କରାଯାଇଛି । ତଦନ୍ତ ଜାରି ରହିଥିବାରୁ ମାମଲାରେ ଗିରଫଦାରୀଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।
ଡିସିପିଙ୍କ ସୂଚନା ମୁତାବକ, ଗତକାଲି ୮ଟାରୁ ୮ଟା ୩୦ ମଧ୍ୟରେ ରସୁଲଗଡ଼ ଫ୍ରାଙ୍କଲିନ୍ ହୋଟେଲ୍ ସାମ୍ନାରେ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ମଞ୍ଚେଶ୍ୱର ଥାନାକୁ ଖବର ଆସିଥିଲା । ଏହା ସେ ସହଦେବ ନାୟକ ବୋଲି ଜଣାପଡ଼ିଥିଲା । ସହଦେବଙ୍କ ପତ୍ନୀ ନାୟକଙ୍କ ଅଭିଯୋଗ ମୁତାବକ ୩ଟି ସ୍ପେଶାଲ୍ ଟିମ୍ ଗଠନ କରାଯାଇଥିଲା । ପ୍ରଥମେ ୨ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ପରେ ନୟାଗଡ଼ ଶରଣକୂଳ ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଘଟଣା ଘଟିବାର ୧୨ ଘଣ୍ଟା ମଧ୍ୟରେ ସମସ୍ତଙ୍କୁ ଗିରଫ କରାଯାଇଛି । ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଥିବାରୁ ଆଗାମୀ ଦିନରେ ଅଭିଯୁକ୍ତଙ୍କ ସଂଖ୍ୟା ବଢ଼ି ପାରେ ବୋଲି ପୋଲିସ ଆଶଙ୍କା କରୁଛି ।
ତେବେ ଅଭିଯୁକ୍ତଙ୍କ ଠାରୁ ବାଇକ୍ ଏବଂ ମୋବାଇଲ ଜବତ କରାଯାଇଛି । ଏହା ସହିତ ଅଭିଯୁକ୍ତଙ୍କର ରକ୍ତ ଦାଗ ଥିବା ପୋଷାକ, ମୋବାଇଲ, ବ୍ୟାଗ, ଅସ୍ତ୍ରକୁ ତଦନ୍ତ ପରିସରଭୁକ୍ତ କରାଯାଇଛି ।