ନୂଆଦିଲ୍ଲୀ: ଆମେରିକା ଭିସା ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି । ଏମିତି କେତୋଟି ଦେଶ ଅଛି, ଯଦି ଆପଣ ସେଠାକୁ କେବେ ଯାଇଛନ୍ତି ତେବେ ଆପଣଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ଯଦି ଆପଣ ଗାଜା ପଟ୍ଟି କେବେ ବୁଲିବାକୁ ଯାଇଛନ୍ତି, ଆପଣଙ୍କ ପାସପୋର୍ଟରେ ଗାଜାର ଭିସା ଷ୍ଟାମ୍ପ୍ ଲାଗିଛି, ତେବେ ଆପଣଙ୍କୁ ଆମେରିକା ଆଉ ଯାଇ ପାରିବେ ନାହିଁ । ଏହି ନିୟମ ବ୍ୟକ୍ତିଠାରୁ ଆରମ୍ଭ କରି ସଙ୍ଗଠନ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଗୁ ହୋଇଛି ।
ନୂତନ ନିୟମ ଅନୁଯାୟୀ, ୧ ଜାନୁଆରୀ ୨୦୦୭ ପରେ ଗାଜା ଷ୍ଟ୍ରିପ୍ ପରିଦର୍ଶନ କରିଥିବା ଯେକୌଣସି ବିଦେଶୀ ନାଗରିକଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ଭିସା ଆବେଦନ ସମୟରେ ଯାଞ୍ଚ କରାଯିବ । ସଚିବ ମାର୍କୋ ରୁବିୟୋଙ୍କ ନିର୍ଦ୍ଦେଶରେ ଆମେରିକାର ବୈଦେଶିକ ବିଭାଗ ଏହି ନିଷ୍ପତ୍ତି ନେଇଛି । ଆମେରିକାର ନିୟମ ପ୍ରବାସୀ ଏବଂ ଅଣ-ପ୍ରବାସୀ ଉଭୟ ପ୍ରକାରର ଭିସା ପାଇଁ ଲାଗୁ କରାଯାଇଛି । ସେହିପରି ଛାତ୍ର ଭିସା, ପର୍ଯ୍ୟଟନ ଭିସା ଏବଂ କୂଟନୈତିକ ଗସ୍ତ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏହା ସହିତ, ଗାଜାରେ କାମ କରିଥିବା ଅଣ-ସରକାରୀ ସଂଗଠନ (ଏନଜିଓ)ର କର୍ମଚାରୀ ଏବଂ ସ୍ୱେଚ୍ଛାସେବୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି ।
ଗାଜାରୁ ଫେରିଥିବା ଲୋକଙ୍କ ଦ୍ୱାରା ଉପୁଜିଥିବା ସମ୍ଭାବ୍ୟ ସୁରକ୍ଷା ଓ ବିପଦକୁ ଚିହ୍ନଟ କରିବା ନୂତନ ନୀତିର ପ୍ରାଥମିକ ଉଦ୍ଦେଶ୍ୟ । ଯଦି କୌଣସି ବ୍ୟକ୍ତିଙ୍କ ସୋସିଆଲ ମିଡିଆ କିମ୍ବା ଡିଜିଟାଲ୍ କାର୍ଯ୍ୟକଳାପରେ ଏପରି କୌଣସି ବିଷୟବସ୍ତୁ ମିଳେ, ଯାହାକୁ ଆମେରିକାର ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ବିବେଚନା କରାଯାଏ, ତେବେ ତାଙ୍କ ଭିସା ଆବେଦନକୁ ଆନ୍ତଃ-ଏଜେନ୍ସି ସମୀକ୍ଷା ପାଇଁ ପଠାଯିବ । ଏହି ବିଷୟରେ ସଚିବ ମାର୍କୋ ରୁବିୟୋ କହିଛନ୍ତି ଯେ ଆମେ 2025 ଆରମ୍ଭରୁ ଏପରି 300 ରୁ ଅଧିକ ଭିସା ବାତିଲ କରିଛୁ, ଯେଉଁଥିରେ ଅନେକ ଛାତ୍ର ଭିସା ମଧ୍ୟ ଅନ୍ତର୍ଭୁକ୍ତ।
ଗାଜାରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଥିବା ଅନେକ ବିଦେଶୀ ଛାତ୍ର ଥିଲେ । ସେମାନଙ୍କର ଭିସା ବାତିଲ କରାଯାଇଛି । ଏହି ପଦକ୍ଷେପ ଆମେରିକାର ବୈଦେଶିକ ନୀତିର ସମାଲୋଚନା ଉପରେ ପ୍ରତିବନ୍ଧକ ଲଗାଇବାର ମଧ୍ୟ ସଙ୍କେତ ଦେଉଛି ।
ଟ୍ରମ୍ପ ପ୍ରଶାସନ ବିଶେଷ ଭାବରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ଟାର୍ଗେଟ କରିଛି । ଗାଜା ସଂଘର୍ଷ ପରେ ହାର୍ଭାର୍ଡରେ ହୋଇଥିବା ପ୍ରତିବାଦକୁ ଆଧାର କରି, ପ୍ରଶାସନ ବିଶ୍ୱବିଦ୍ୟାଳୟକୁ ନୀତିଗତ ପରିବର୍ତ୍ତନ କରିବାକୁ ଦାବି କରିଥିଲା । ଆମେରିକୀୟ ମୂଲ୍ୟବୋଧ ବିରୋଧୀ ଛାତ୍ରମାନଙ୍କୁ ବାହାର କରିବା ଓ କ୍ୟାମ୍ପସରେ ୟେହୂଦୀ-ବିରୋଧୀ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ କରିବା । ଗୃହ ସୁରକ୍ଷା ବିଭାଗ ଏପରିକି କହିଥିଲା ଯେ ହାର୍ଭାର୍ଡ ଆଉ ଅନ୍ତର୍ଜାତୀୟ ଛାତ୍ରମାନଙ୍କୁ ଆତିଥ୍ୟ ଦେବା ପାଇଁ ଯୋଗ୍ୟ ନୁହେଁ।