ନୂଆଦିଲ୍ଲୀ: ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରଠୁ ଦେଶର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି । ଗରିବିରେ ଘାଣ୍ଟି ହେଉଥିବା ବାଂଲାଦେଶକୁ ଏବେ ନିଜ ଦେଶ ଚଳାଇବା ପାଇଁ ଋଣ ନେବାକୁ ପଡୁଛି । ଅର୍ଥ ପାଇଁ ଏବେ ବାର ଦ୍ୱାର ହେଉଛି ଆମର ଏହି ପଡୋଶୀ ଦେଶ । ତଥାପି ବାଂଲାଦେଶକୁ କେହି ସାହାଯ୍ୟ କରୁ ନାହାନ୍ତି । ସଦ୍ୟତମ ଘଟଣାକ୍ରମରେ ବାଂଲାଦେଶ ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମଏଫ)ଠୁ ୪.୭ ବିଲିୟନ ଡଲାର ଋଣ ମାଗିଥିଲା । ହେଲେ ଆଇଏମଏଫର ୪ ପ୍ରମୁଖ ସର୍ତ୍ତ ପୂରଣ କରିବାରେ ବିଫଳ ହୋଇଛି ବାଂଲାଦେଶ । ତେଣୁ ଏହି ଦେଶକୁ ଋଣ ମିଳିବା ମୁସ୍କିଲ ହୋଇ ପଡିଛି ।
ଚାରି ପମୁଖ ସର୍ତ୍ତ ହେଉଛି ବାଂଲାଦେଶର ଦୁର୍ବଳ ରାଜସ୍ୱ ବୃଦ୍ଧି, ଅଣ ବଜାର ଆଧାରିତ ବିନିୟମ ଦର, ସବସିଡିରେ ଅଭାବ ଓ ବ୍ୟାଙ୍କିଙ୍କ କ୍ଷେତ୍ରରେ ହେଉ ନ ଥିବା ପ୍ରଗତି । ଏଆଇଏମଠୁ ଝଟକା ଖାଇବା ପରେ ଏବେ ପ୍ରଶ୍ନ ଉଠୁଛି ମହମ୍ମଦ ୟୁନୁସ ଏବେ କଣ କରିବେ ? ଦୁଇ ସପ୍ତାହର ସମୀକ୍ଷା ମିଶନ ପରେ ଗୁରୁବାର ବାଂଲାଦେଶ ଗସ୍ତରେ ଆସିଥିବା ଆଇଏମଏଫ ପ୍ରତିନିଧିମଣ୍ଡଳ ଦ୍ୱାରା ଏକ ବ୍ରିଫିଙ୍ଗ ସମୟରେ ଏହି ପ୍ରସଙ୍ଗ ଉଠିଥିଲା । ଆଇଏମଏଫ ଆଗାମୀ କିସ୍ତି ଜାରି କରିବା ଉପରେ ନିଜର ନିଷ୍ପତ୍ତି ଶୁଣାଇ ନ ଥିଲେ ।
ଏବେ ବାଂଲାଦେଶ ଓ ଆଇଏମଏଫ ମଧ୍ୟରେ ଚର୍ଚ୍ଚା ଜାରି ରହିଛି । ଯଦି ପ୍ରଗତି ସନ୍ତୋଷଜନକ ରହେ ତେବେ ଜୁନର ଶେଷ ଆଡକୁ ଆଇଏମଏଫ ବାଂଲାଦେଶକୁ ଋଣ ଦେଇପାରେ । ଏହା ଏବେ ବାଂଲାଦେଶ ଉପରେ ନିର୍ଭର କରେ ଯେ, ୪ ପ୍ରମୁଖ ମାନଦଣ୍ଡରେ କେମିତି ସୁଧାର ଆଣିବ । ତେବେ ବାଂଲାଦେଶ ଗସ୍ତରେ ଆସିଥିବା ଆଇଏମଏଫର ପ୍ରତିନିଧି ମଣ୍ଡଳ ବାଂଲାଦେଶର ବିଭିନ୍ନ ବିଭାଗ ସହ ବୈଠକ କରିଛନ୍ତି । ଆଇଏମଏଫ ବାଂଲାଦେଶର ଆର୍ଥିକ ସ୍ଥିତି ଓ ପ୍ରମୁଖ ସ୍ଥିତି ସୁପାରିଶ ବିଷୟରେ ନିଜର ବ୍ୟାପକ ମୂଲ୍ୟାଙ୍କନ କରିଛି । ଏବେ ଦେଖିବାକୁ ବାକି ରହିଲା ଆଇଏମଏଫଠୁ ବାଂଲାଦେଶ ଋଣ ପାଉଛି କି ନାହିଁ ।