ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଆଫଗାନ ତାଲିବାନଙ୍କ ସହ ସ୍ଥାୟୀ ଅସ୍ତ୍ରବିରତିକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ସ୍ଥାୟୀ ଅସ୍ତ୍ରବିରତି ଏବେ ଆଫଗାନର ତାଲିବାନ ସରକାର ଉପରେ ନିର୍ଭର କରେ। ୪୮ ଘଣ୍ଟାର ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣାର ଠିକ୍ ଗୋଟିଏ ଦିନ ପରେ ସରିଫଙ୍କ ଏହି ବୟାନ ସାମ୍ନାକୁ ଆସିଛି। ସେ ଜୋର ଦେଇ କହିଛନ୍ତି ଯେ, ଯଦି ଆଫଗାନର ତାଲିବାନ ସରକାର ପାକିସ୍ତାନର ସର୍ତ୍ତକୁ ୪୮ ଘଣ୍ଟା ଭିତରେ ଲାଗୁ କରିବ ତେବେ ପାକିସ୍ତାନ ସ୍ଥାୟୀ ଅସ୍ତ୍ରବିରତି ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ। ସେ ତାଲିବାନ ଶାସନ ଉପରେ ଭାରତ ଇସାରାରେ ପାକିସ୍ତାନ ଉପରେ ହମଲା କରୁଥିବା ଅଭିଯୋଗ କରିଛନ୍ତି।
ଉଲ୍ଲେଖନୀୟ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ବୟାନ ଜାରି କରି କହିଛି ଯେ, ଦୁଇ ଦେଶ ବୁଧବାର ସନ୍ଧ୍ୟା ୬ଟାରେ ୪୮ ଘଣ୍ଟାର ଅସ୍ଥାୟୀ ଅସ୍ତ୍ରବିରତି ଲାଗୁ କରିବେ। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଏହି ଅନୁରୋଧ କାବୁଲ ପକ୍ଷରୁ ଆସିଥିଲା। ଅନ୍ୟପଟେ ଆଫଗାନ ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଦାବି କରିଛନ୍ତି ଯେ, ଅସ୍ତ୍ରବିରତି ପାକିସ୍ତାନ ପକ୍ଷର ଅପିଲ୍ ପରେ ସମ୍ଭବ ହୋଇଛି।
ସୂଚନାଯୋଗ୍ୟ, ଅସ୍ତ୍ରବିରତି ପୂର୍ବରୁ ଆଫଗାନିସ୍ତାନ ମିଳିତ ଜାତିସଂଘର ସହାୟତା ମିଶନ କାନ୍ଧାନର ସ୍ପିନ ବୋଲ୍ଡକ ଅଞ୍ଚଳରେ ଅତି କମରେ ୧୭ ଜଣଙ୍କ ମୃତ୍ୟୁ ଓ ୩୦୦ରୁ ଅଧିକ ଆହତ ହୋଇଥିବା ଦାବି କରିଥିଲା। ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ମୂଳ କାରଣ ହେଉଛି ତେହରିକ ଏ ତାଲିବାନ ପାକିସ୍ତାନ(ଟିଟିପି)। ପାକିସ୍ତାନ ଦାବି କରୁଛି ଯେ, ଏହି ଆତଙ୍କୀ ସଂଗଠନକୁ ଆଫଗାନିସ୍ତାନ ସୁରକ୍ଷିତ ଆଶ୍ରୟ ସ୍ଥଳ ପ୍ରଦାନ କରୁଛି। ସେଠାରୁ ପାକିସ୍ତାନ ଉପରେ ହମଲା ପାଇଁ ଯୋଜନା କରାଯାଉଛି। ଅନ୍ୟପଟେ ଆଫଗାନିସ୍ତାନ ଏହି ଦାବିକୁ ସଂପୂର୍ଣ୍ଣ ଭାବେ ଖାରଜ କରିଛି।
Also read: କେନ୍ଦ୍ର ସରକାରଙ୍କ ମାଓବିରୋଧୀ ଅଭିଯାନରେ ବଡ଼ ସଫଳତା; ଏକାବେଳକେ ୧୭୦ ନକ୍ସଲ କଲେ ଆତ୍ମସମର୍ପଣ