ବୌଦ୍ଧ: ମାଓବାଦୀଙ୍କୁ ଧରାଇ ଦିଅନ୍ତୁ କୋଟିଏ ଟଙ୍କାର ପୁରସ୍କାର ପାଆନ୍ତୁ ଆଜି ବୌଦ୍ଧ ଜିଲ୍ଲାରେ ମାଓବାଦୀଙ୍କ ଉପରେ ପୁରସ୍କାର ଘୋଷଣା କରାଯାଇଛି । ବିଭିନ୍ନ ସ୍ଥାନରେ ପୋଷ୍ଟର୍ ଜାରି କରାଯାଉଛି । ଯେଉଁମାନେ ମାଓବାଦୀଙ୍କୁ ଧରାଇଦେବେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ।
। କେନ୍ଦ୍ର ସରକାର ଚଳାଇଥିବା ମାଓ ବିରୋଧୀ ଅଭିଯାନର ଡେଡ୍ ଲାଇନ୍ ଯେତିକି ପାଖେଇ ଆସୁଛି ଅପରେସନକୁ ସେତିକି ତୀବ୍ର କରାଯାଉଛି । ସେଥିପାଇଁ ତଲାସୀ ଅଭିଯାନ, ଏନକାଉଣ୍ଟର୍, ଗିରଫ ଓ ଆତ୍ମସମର୍ପଣ ଜୋରଦାର ଦେଉଛି । ବୌଦ୍ଧ ଜିଲ୍ଲାରେ ୧୦ ଜଣ ହାର୍ଡକୋର୍ ମାଓବାଦୀଙ୍କ ଉପରେ ପୁରସ୍କାର ରାଶି ଘୋଷଣା ହୋଇଛି । ସର୍ବାଧିକ ପୁରସ୍କାର ଟଙ୍କା ୧ କୋଟି ଥିବାବେଳେ ସର୍ବନିମ୍ନ ୨୦ ଲକ୍ଷ ଟଙ୍କା ରହିଛି ।
କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ମୁଣ୍ଡ ଉପରେ ସର୍ବାଧିକ ୧ କୋଟି ଟଙ୍କା ପୁରସ୍କାର ରାଶି ରହିଛି । ଗଣେଶକୁ ଯିଏ ଧରାଇଦେବ ତାକୁ ଘୋଷଣା ମୁତାବକ ଅର୍ଥରାଶି ପ୍ରଦାନ କରାଯିବ । ସେହିପରି ସ୍ପେଶାଲ୍ ଜୋନାଲ୍ କମିଟି ସଦସ୍ୟ ସୁଦର୍ଶନ ଓରଫ୍ ବିକାଶ, ନିଖିଲ ଓରଫ୍ ଶିବାଜୀ, ଅଙ୍କିତା ଓରଫ୍ ଇନ୍ଦୁ, ଶୁକ୍ରୁ ଓରଫ୍ କ୍ରିଷ୍ଣା ଏବଂ ନିତୁ ମୁଣ୍ଡ ଉପରେ ୫୦ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି ।
ସେହିପରି ୨ ଜଣ ମିଲିଟାରୀ ପ୍ଲାଟୁନ୍ କମାଣ୍ଡର ଶିଲା ଓରଫ୍ ନାଗମଣି ଓ ଅନ୍ୱେଷ ଓରଫ୍ ରେଣୁ, ୨ ଡିଭିଜନାଲ୍ କମିଟି ସଦସ୍ୟ ମମତା ଓରଫ୍ ସାଇତେ ଓ ନକୁଲ ଓରଫ୍ ଚନ୍ଦ୍ରାକୁ ଧରାଇଦେଲେ ପ୍ରତ୍ୟେକଙ୍କ ପିଛା ୨୦ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ମିଳିବ ।
ଖାଲି ସେତିକି ଅନ୍ୟ କୌଣସି ବି ମାଓବାଦୀଙ୍କୁ ଧରାଇଦେଲେ ମଧ୍ୟ ପୁରସ୍କାର ମିଳିବ । ଯଦି ଉପରୋକ୍ତ କୌଣସି ମାଓବାଦୀଙ୍କ ବିରୋଧରେ କୌଣସି ସୂଚନା ପାଇବେ, ତେବେ ୯୪୩୭୬୪୩୮୩୯ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।