ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ଶାନ୍ତିଶୃଙ୍ଖଳାରେ ପାଳନ କରିବା ପାଇଁ କମିସନରେଟ ପୁଲିସ୍ କଡ଼ା ପଦେକ୍ଷପ ଗ୍ରହଣ କରିଛି। ଦୀପାବଳି ଦିନ ରାତିରେ ରାଜଧାନୀରେ ୨୨ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । ସେମାନେ ବିଭିନ୍ନ ଛକ ଏବଂ ବଜାର ଉପରେ ଜଗିବେ। ଆହୁରି ମଧ୍ୟ ଅମାନିଆ ଉତ୍ପାତ କଲେ ସେମାନଙ୍କୁ ଏହି ଫୋର୍ସ ସାବାଡ଼ କରିବେ। ବିଶେଷ କରି ମଦୁଆ ଏବଂ ଅମାନିଆ ଉତ୍ପାତ କରିବାର ସମ୍ଭାବନା ରହିଛି। ଏପରିକି ଅନେକ ମଦ ପିଇ ଦୀପାବଳି ରାତିରେ ମହିଳା ଏବଂ ଯୁବତୀଙ୍କୁ ଅସଦାଚରଣ କରନ୍ତି। ତେଣୁ ପୁଲିସ ଏହି ମଦୁଆଙ୍କୁ ସାବାଡ଼ କରିବା ପାଇଁ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇଛି।
ସେହିଭଳି କେଉଁଠି ଅଘଟଣ ଘଟିଲେ ତୁରନ୍ତ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବ। ମଦ ପିଇ ଗଣ୍ଡଗୋଳ କଲେ ତୁରନ୍ତ ଏହି ଟିମ୍ ପହଞ୍ଚି ସେମାନଙ୍କୁ କାବୁ କରି ଥାନାକୁ ଆଣିବେ। ସ୍ପେଶାଲ ଟିମ୍ରେ ଥିବା ସଦସ୍ୟମାନେ ଗଳି କନ୍ଦି ବୁଲିବେ। ସେଠାରେ ଯଦି ମହିଳାଙ୍କୁ ଅଶ୍ଲୀଳ ଇଙ୍ଗୀତ ଏବଂ ଅସଦାଚରଣ କରନ୍ତି, ତୁରନ୍ତ ସେମାନଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ଅମାନିଆ ଦୀପାବଳୀ ଦିନ ରାଗ ସୁଝାନ୍ତି। ସେମାନେ ଜାଣିଶୁଣି ବମ୍ ଅନ୍ୟ ଘର ଉପରକୁ ପକାନ୍ତି। ଫଳରେ ଅଗ୍ନିକାଣ୍ଡ ଏବଂ ଅନ୍ୟାନ ଦୁର୍ଘଟଣା ଘଟିଥାଏ। ତେଣୁ ଏଭଳି କେହି କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି କେହି କରୁଥିଲେ ତୁରନ୍ତ ୧୧୨କୁ ଫୋନ୍ କରି ଜଣାଇବାକୁ ପରାମର୍ଶ ଦିଆଯାଇଛି। ସେହିପରି ସବୁ ଥାନା ଅଧିକାରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ଦୀପାବଳି ରାତିରେ କିଛି ଅଘଟଣ ଘଟିବା ନେଇ ଖବର ମିଳେ ତୁରନ୍ତ ସେଠାରେ ପହଞ୍ଚିବାକୁ କୁହାଯାଇଛି। ପହଞ୍ଚିବା ପରେ ଆହତଙ୍କୁ ମେଡ଼ିକାଲ ନେବାକୁ କୁହାଯାଇଛି। ସେହିପରି ଚୋରି ରୋକିବାକୁ ପାଟ୍ରୋଲିଂ ଜୋରଦାର କରିବାକୁ ନିର୍ଦ୍ଦେଶ ମଧ୍ଯ ଜାରି ହୋଇଛି। ଅଗ୍ନିଶମ ବିଭାଗ ମଧ୍ୟ ଅଘଟଣର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି। ସେଣ୍ଟ୍ରୋଲ ରେଞ୍ଜ, ଉତ୍ତରାଞ୍ଚଳରେଞ୍ଜ ଏବଂ ଦକ୍ଷିଣାଞ୍ଚଳ ରେଞ୍ଜ ଭାବେ ସକ୍ରିୟ ରହିବେ ଅଗ୍ନିଶମ ବିଭାଗ। ଟ୍ୱିନ୍ ସିଟିରେ ୭ଟି ଫାୟାର ଷ୍ଟେସନ କରିବ ଅଗ୍ନିଶମ ବିଭାଗ।
ତେବେ ଦୁଇ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ତେଣୁ ଯଦି କେହି ବ୍ୟକ୍ତି ନିୟମ ନମାନି ବାଣ ଫୁଟାନ୍ତି ତେବେ ତାଙ୍କ ବିରୋଧରେ ଦୁଢ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଥାନାକୁ କୁହାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି।