କଟକ: ଓଡ଼ିଶା ପୋଲିସ ସବ୍ ଇନସ୍ପେକ୍ଟର୍ ପରୀକ୍ଷା କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା ମିଳିଛି । ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ମୁନା ମହାନ୍ତି ସମେତ ୪ ଜଣ ଗିରଫ ହୋଇଛନ୍ତି । ଯେଉଁଥିରେ ଜଣେ ଯୁବତୀ ମଧ୍ୟ ଅଛନ୍ତି । ସମସ୍ତ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବିଧେଶ୍ୱର ଥାନା ଅନ୍ତର୍ଗତ କଳାପଥର ଗ୍ରାମର ମୁନା ମହାନ୍ତି (୩୨) ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ କୁଞ୍ଜବନଗଡ଼ା ଗ୍ରାମର ଶ୍ରୀକାନ୍ତ ମହାରଣା ଓରଫ୍ ରିଙ୍କୁ (୩୪), ପିତା- ଲକ୍ଷ୍ମୀଧର ମହାରଣା, ବିଶ୍ୱରଞ୍ଜନ ବେହେରା, ସୌମ୍ୟା ପ୍ରିୟଦର୍ଶିନୀ ସାମଲ ଏବଂ ଦଶପଲ୍ଲାର ଟି ଅଭିମନ୍ୟୁ ଦୋରା । ଗିରଫଦାରୀ ସଂଖ୍ୟା ୧୨୧କୁ ବୃଦ୍ଧି ହୋଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଏହା ସହିତ ମୁନାର ଗୋଟିଏ ସ୍କର୍ପିଓ ଗାଡ଼ି, ୨ଟି ହାଇୱା ଟିପର, ଥାର୍, ଓ ନଗଦ ୧,୨୦,୦୦୦ ଟଙ୍କା ଜବତ ହୋଇଛି ।
କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ମୁତାବକ, ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ ଡିଆଇଜି ଗଙ୍ଗାଧରଙ୍କ ନେତୃତ୍ୱରେ ବିଭିନ୍ନ ଟିମ୍ ଗଠନ କରାଯାଇଛି । ବିଭିନ୍ନ ସ୍ଥାନରେ ଚଢ଼ଉ ଏବଂ ଛାନଭିନ ପରେ ଆଜି ସକାଳେ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି । କଟକ ଜିଲ୍ଲା କଳାପଥର ଅଞ୍ଚଳର ମୁନା ମହାନ୍ତି ନୟାଗଡ଼ ଦଶପଲ୍ଲା ଅଞ୍ଚଳରୁ ଗିରଫ ହୋଇଛି । ମୁନା ତୁଳସୀ ଟ୍ରାଭେଲ୍ ଏଜେନ୍ସିରୁ ବସ୍ ବୁକ୍ କରିଥିଲା । ପେମେଣ୍ଟ ପାଇଁ ମାଙ୍କ ଆକାଉଣ୍ଟକୁ ବ୍ୟବହାର କରିଥିଲା । ତୁଳସୀ ଟ୍ରାଭେଲକୁ ମାଙ୍କ ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ପେମେଣ୍ଟ ଦେଇଥିଲା । ଉକ୍ତ ବସରେ ୧୧୪ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ର ପ୍ରଦେଶ ନିଆଯାଇଥିଲା । ମାମଲା ସାମ୍ନାକୁ ଆସିବା ପରେ ମୁନା ଫେରାର ଥିଲା । ମୁନାକୁ ଅଭିମନ୍ୟୁ ଦୋରା ସୁରକ୍ଷା ପ୍ରଦାନ କରୁଥିଲା ।
ଦଶପଲ୍ଲାର ଟି ଅଭିମନ୍ୟୁ ଦୋରା ଅଭିଯୁକ୍ତ ମୁନା ମହାନ୍ତିଙ୍କ ନିକଟତର ସହଯୋଗୀ ଶ୍ରୀକାନ୍ତ ମହାରଣାଙ୍କୁ ଭଲ ଭାବରେ ଜାଣିଛି । ଅକ୍ଟୋବର ୧ରେ କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ମାମଲାର ତଦନ୍ତ ଗ୍ରହଣ କରାଯିବା ପରେ, ଶ୍ରୀକାନ୍ତ ଏବଂ ମୁନା ଦଶପଲ୍ଲାର ଟି ଅଭିମନ୍ୟୁ ଦୋରାଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ସମ୍ପୂର୍ଣ୍ଣ ଘଟଣାଟି ପ୍ରକାଶ କରିଥିଲେ। ଏହି ସତ୍ୟକୁ ଭଲ ଭାବରେ ଜାଣି, ଟି ଅଭିମନ୍ୟୁ ଦୋରା ଅଭିଯୁକ୍ତ ମୁନା ଏବଂ ଶ୍ରୀକାନ୍ତଙ୍କୁ ଦଶପଲ୍ଲାର ତାଙ୍କ ଫାର୍ମ ହାଉସରେ ସୁରକ୍ଷିତ ଆଶ୍ରୟ ଦେଇଥିଲେ ଏବଂ ପ୍ରିୟଦର୍ଶିନୀ ସାମଲଙ୍କଠାରୁ ମିଳିଥିବା ପୋଲିସର ଗତିବିଧି ଇତ୍ୟାଦି ସୂଚନା ସମେତ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଥିଲେ।
୨୨୪ ଜଣଙ୍କ ପାଇଁ ଡିଲ୍
ସେହିପରି ପୂର୍ବରୁ ବାଲେଶ୍ୱରରୁ ଗିରଫ ହୋଇଥିବା ଅରବିନ୍ଦ ଦାଶ ଦୀଘା ମଡେଲର କାର୍ପଟଦାର୍ । ମୁନା ମହାନ୍ତି ଆନ୍ଧ୍ରର ଶ୍ରୀକାକୁଲମ ମଡେଲ୍ ଦେଖୁଥିଲା ଏବଂ ଦୀଘାରେ ମଧ୍ୟ ଅରବିନ୍ଦ ଏକ ହୋଟେଲ୍ ବୁକ୍ କରିବାରେ ସାହାଯ୍ୟ କରିଥିଲା । ସେଠାରେ ୧୧୦ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ରୁମ୍ ବୁକ୍ ହୋଇଥିଲା । ଖାଇବା, ପିଇବା ଓ ରହିବା ପାଇଁ ୧୮ ଲକ୍ଷ ଟଙ୍କା ଦାଖଲ ହୋଇଥିଲା । ଦୀଘାରେ ସେପ୍ଟେମ୍ବର ୩୦ ତାରିଖ ଦିନ ସମସ୍ତେ ଏକାଠି ହୋଇଥାଆନ୍ତେ । କିନ୍ତୁ ସେପ୍ଟେମ୍ବର ୨୯ରେ ଶ୍ରୀକାକୁଲମ ଘଟଣା ସାମ୍ନାକୁ ଆସିବା ପରେ ଦୀଘା ମଡେଲକୁ ତୁରନ୍ତ ବାତିଲ କରାଯାଇଥିଲା । ଅରବିନ୍ଦଙ୍କ ନିକଟରୁ କିଛି ପ୍ରୋଭିଜିନାଲ୍ ସାର୍ଟିଫିକେଟ୍ ମଧ୍ୟ ମିଳିଛି । ଅର୍ଥାତ ଦୁଇଟି ମଡେଲରେ ପାଖାପାଖି ୨୨୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଡିଲ୍ ହୋଇଥିଲା ।
ସୌମ୍ୟା କିଏ ?
ସୌମ୍ୟା ପ୍ରିୟଦର୍ଶିନୀ ସାମଲଙ୍କ ଘର ଢେଙ୍କାନାଳ ଜିଲ୍ଲା ମୁକୁନ୍ଦପୁରରେ ହୋଇଥିବାବେଳେ ସେ ସେମାନଙ୍କର ସହଯୋଗୀ ଥିଲା । ସୌମ୍ୟା ପରୀକ୍ଷାର୍ଥୀଙ୍କୁ ଯୋଗାଯୋଗ କରିବାରେ ମୁଖ୍ୟ ଭୂମିକାରେ ଥିଲେ । ସେ ପରୀକ୍ଷାର୍ଥୀଙ୍କଠାରୁ ବ୍ଲାଂକ୍ ଚେକ୍ ନେଇଥିଲେ । ଯେତେବେଳେ ସମସ୍ତ ପରୀକ୍ଷାର୍ଥୀ ଧରାପଡ଼ିଥିଲେ, ତାଙ୍କର ଅଭିଭାବକମାନେ ସୌମ୍ୟାକୁ ଯୋଗାଯୋଗ କରିଥିଲେ । ସୌମ୍ୟା ସମସ୍ତଙ୍କ ସାର୍ଟିଫିକେଟ୍ ଅଭିଭାବକମାନଙ୍କୁ ଫେରାଇଥିଲା । ଏହା ସହିତ ପ୍ରମାଣ ନଷ୍ଟ ମଧ୍ୟ କରିଥିଲା ।
ରାଜ୍ୟ ବାହାରେ ଶଙ୍କର !
କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ମୁତାବକ, ମୁନା ଓ ଅରବିନ୍ଦ ଦିଲ୍ଲୀରେ ବସିଥିବା ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ରିପୋର୍ଟ କରୁଥିଲେ । ସେପ୍ଟେମ୍ବର ୨୯ରେ ବସ ଧରାପଡ଼ିବା ପରେ ଶଙ୍କର ପୃଷ୍ଟି ତୁରନ୍ତ ମୋବାଇଲ ବନ୍ଦ କରିଦେଇଥିଲା । ସେ ସେତେବେଳେ ରାଜ୍ୟ ବାହାରେ ଥିଲା । ସେ ଦିଲ୍ଲୀରେ ଭଡ଼ା ଘରେ ରହୁଥିଲା । ତଦନ୍ତ ବେଳକୁ ସେ ଦିଲ୍ଲୀରେ ଛାଡ଼ି ଦେଇଛି । ବର୍ତ୍ତମାନ ସେ କେଉଁଠି ଅଛି ତାହା ଜଣାପଡ଼ି ନାହିଁ ।
ଘଟଣା ସାମ୍ନାକୁ ଆସିବା ପରେ ସମସ୍ତ ପରୀକ୍ଷାର୍ଥୀ ଏବଂ ସେମାନଙ୍କୁ ପରିଚାଳନା କରୁଥିବା ବ୍ୟକ୍ତିମାନେ ତୁରନ୍ତ ମେସେଜ୍ ଡିଲିଟ୍ କରି ମୋବାଇଲ୍ ସୁଇଚ୍ ଅଫ୍ କରିଦେଇଥିଲେ । ସମସ୍ତ ୧୨୧ ଜଣଙ୍କ ଠାରୁ ୧୧୦ଟି ମୋବାଇଲକୁ ଜବତ କରାଯାଇଛି । ମୋବାଇଲ ଗୁଡ଼ିକୁ ଫରେନସିକ୍ ଲ୍ୟାବକୁ ପଠାଇଯାଇଛି, ସମସ୍ତ ମୋବାଇଲର ଡାଟା ରିକଭରି ସମୟ ସାପେକ୍ଷ । ତେଣୁ ଏଥିପାଇଁ ୨ରୁ ୩ ମାସ ସମୟ ଲାଗିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।
ଖାଲି ସେତିକି ନୁହେଁ କ୍ରାଇମବ୍ରାଞ୍ଚ ଡିଜି ଆହୁରି ଏକ ବଡ଼ ସୂଚନା ଦେଇଛନ୍ତି । ପଞ୍ଚସପ୍ଟ କମ୍ପାନୀ ଆଗରୁ ଅନ୍ୟ ପରୀକ୍ଷାରେ ମଧ୍ୟ ସମ୍ପୃକ୍ତି ଥିଲା । ତେଣୁ ଏହି ମାମଲା ସହିତ ଅନ୍ୟ ପରୀକ୍ଷା ଜଡ଼ିତ ଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି ।